ଆସିଲା ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ମତଦାନରେ ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।
ନିର୍ବାଚନରେ ମୋଟ ୭୬୭ ଜଣ ସାଂସଦ ଭୋଟ୍ ଦେଇଥିଲେ । ଏଥିରରୁ ୭୫୨ ଜଣ ସାଂସଦଙ୍କ ଭୋଟ୍ ବୈଧ ହୋଇଥିଲା ଏବଂ ୧୫ଟି ଭୋଟ୍ ଅବୈଧ ହୋଇଛି । ନିର୍ବାଚନରେ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରଥମ ପସନ୍ଦରେ ୪୫୨ ଭୋଟ୍ ମିଳିଥିବାବେଳେ ସୁଦର୍ଶନଙ୍କୁ ୩୦୦ ଭୋଟ ମିଳିଥିଲା।
ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ସିପି. ରାଧାକ୍ରିଷ୍ଣନ ନାମରେ ଜଣାଶୁଣା । ସେ ଜଣେ ଅଭିଜ୍ଞ ରାଜନେତା, ପ୍ରଶାସକ ଓ ଆରଏସଏସର କର୍ମକର୍ତ୍ତା। ୧୯୫୭ ମସିହା ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମ। ୧୯୭୪ରେ ୧୬ ବର୍ଷ ବୟସରେ ରାଧାକ୍ରିଷ୍ଣନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନସଂଘରୁ ଆରମ୍ଭ କରିଥିଲେ ରାଜନୈତିକ ଯାତ୍ରା। ଆରଏସଏସରେ ସ୍ୱୟଂସେବକ ଭାବେ ଯୋଗଦେଇ ଭାରତୀୟ ଜନସଂଘ, ବିଜେପିର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ହୋଇଥିଲେ। ୧୯୭୭ରେ ଜନସଂଘ ଜନତା ପାର୍ଟିରେ ମିଶିବା ଓ ୧୯୮୦ରେ ବିଜେପି ଗଠିତ ପରେ ରାଧାକ୍ରିଷ୍ଣନ ଏହା ସହ ଯୋଡ଼ି ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କର ନିକଟତମ ସହଯୋଗୀ ଥିଲେ। ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ଜନସାଧାରଣରେ ସେ “କୋୟମ୍ବାଟୁରର ବାଜପେୟୀ” ଭାବେ ପରିଚିତ।
୧୯୯୬ରେ ବିଜେପିର ତାମିଲନାଡୁ ରାଜ୍ୟ ସମ୍ପାଦକ ଥିଲେ ସିପି ରାଧାକ୍ରିଷ୍ଣନ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଭାବରେ କାର୍ଯ୍ୟ କରିଥିଲେ। ବିଜେପିର ତାମିଲନାଡୁ ସଭାପତି ଭାବେ ରାଧାକ୍ରିଷ୍ଣନ ନଦୀ ସଂଯୋଗ, ଆତଙ୍କବାଦର ମୁକାବିଲା ଏବଂ ଅସ୍ପୃଶ୍ୟତା ଦୂରୀକରଣ ଆଦି ପ୍ରସଙ୍ଗ ନେଇ ୯୩ ଦିନିଆ ରଥଯାତ୍ରା କରିଥିଲେ। ୧୯୯୮ ଲୋକସଭା ନିର୍ବାଚନରେ କୋଏମ୍ବାଟୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ପରେ ସେ ୧୯୯୯ରେ ଅଧିକ ଭୋଟ ବ୍ୟବଧାନରେ ପୁନଃନିର୍ବାଚିତ ହୋଇ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିଲେ ।
ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି। ୨୦୧୪ ଓ ୨୦୧୯ରେ କୋୟମ୍ବାଟୁରରୁ ଲଢି ପରାସ୍ତ ହୋଇଥିଲେ । ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ୨୦୨୩ ଫେବ୍ରୁଆରି ୧୮ରୁ ୨୦୨୪ ଜୁଲାଇ ୩୦ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ତେଲଙ୍ଗାନାର ରାଜ୍ୟପାଳ ଏବଂ ମାର୍ଚ୍ଚରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପୁଡୁଚେରୀ ଉପରାଜ୍ୟପାଳ ଭାବେ ରାଧାକ୍ରିଷ୍ଣନ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ଅଗଷ୍ଟ ୧୭ରେ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ବୈଠକରେ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା।