ଖବର ଓଡ଼ିଶା: ନେପାଳ ସରକାର ଏବେ ଧରାଶାୟୀ ହୋଇଛି । ପ୍ରଥମେ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ଇସ୍ତଫା ଏବଂ ପରେ ପରେ ରାଷ୍ଟ୍ରପତି ପୌଡେଲଙ୍କ ପଦ ଛାଡ଼ିଛନ୍ତି । ପ୍ରାୟ ୧୦ ଜଣରୁ ଅଧିକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଶାନ୍ତିପ୍ରିୟ ନେପାଳ ଏବେ ହିଂସାର ନିଆଁରେ ଜଳୁଛି । ନେପାଳରେ ଏବେ ଅନ୍ତରୀଣ ସରକାର ଆସିବ ନ ଚେତ୍ ସେନା ହାତକୁ ଶାସନଭାର ଯିବ । କେପି ଓଲି ବର୍ତ୍ତମାନ ଦୁବାଇ ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି ।
ଭାରତର ଅନ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କ ଭଳି ନେପାଳର ମଧ୍ୟ ଅନୁରୂପ ଅବସ୍ଥା ହୋଇଛି । ପୂର୍ବରୁ ପାକିସ୍ତାନ, ଶ୍ରୀଲଙ୍କା ଏବଂ ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଅର୍ଥନୈତିକ ସଙ୍କଟ, ଧାର୍ମିକ କାରଣ, ରାଜନୈତିକ ଅସ୍ଥିରତା ଏହାର ପ୍ରମୁଖ କାରଣ ରହିଆସିଛି । କେବଳ ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ନେପାଳର ଏଭଳି ସ୍ଥିତି ପାଇଁ ଦାୟୀ ବୋଲି କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ଅନୁମାନ କରାଯାଉଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଆକଳନ କରିବା ଅସମ୍ଭବ । ତଥାପି ଏହି ନିଆଁ ଦୀର୍ଘ ଦିନ ଧରି କୁହୁଳୁ ଥିଲା ବୋଲି ସନ୍ଦେହ କରାଯାଉଛି । ଯାହାକି ଏବେ ଉଗ୍ରରୂପ ଧାରଣ କରିଛି ।
ବାଂଲାଦେଶ-
ଗତବର୍ଷ ଜୁଲାଇ-ଅଗଷ୍ଟ ମାସରେ ବାଂଲାଦେଶରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା । ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ନିଆଁ ଜଳିଥିଲା । ଶେଷରେ ଅଗଷ୍ଟ 5 ତାରିଖରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶରୁ ପଳାୟନ କରିଥିଲେ । ଭାରତର ଶରଣ ନେଇଥିଲେ । ଏହା ପୂର୍ବରୁ ମଧ୍ୟ ବାଂଲାଦେଶ ଏଭଳି ପରିସ୍ଥିତିର ସାମ୍ନା କରିଛି । ୨୦୨୪ ପୂର୍ବରୁ ବାଂଲାଦେଶରେ ତିନି ଥର ସରକାର ଭାଙ୍ଗିଛି ଏବଂ ସେନା ଶାସନଭାକର ସମ୍ଭାଳିଛି । ୧୯୭୫, ଅଗଷ୍ଟ ୧୫ରେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରେହମାନଙ୍କ ହତ୍ୟା ଏବଂ ତାଙ୍କ ସରକାରକୁ ହଟାଇବା ପରେ ସେନା ଅଧିକାରୀ କ୍ଷମତାକୁ ଆସିଥିଲେ । ୧୯୮୧ ମସିହାରେ ଜିଆଉର ରେହମାନଙ୍କୁ ହତ୍ୟା କରାଯାଇଥିଲା, ଏହା ପରେ କିଛି ସେନା ଅଧିକାରୀ କ୍ଷମତା ହାସଲ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଏହି ପ୍ରୟାସ ସଫଳ ହୋଇପାରିଲା ନାହିଁ ଏବଂ ଗଣତନ୍ତ୍ର ନିର୍ବାଚନ ମାଧ୍ୟମରେ ବାଂଲାଦେଶକୁ ସରକାର ଫେରିଥିଲା । ୧୯୯୦ରେ ବାଂଲାଦେଶରେ ଏକ ବୃହତ ନାଗରିକ ଆନ୍ଦୋଳନ ତତ୍କାଳୀନ ସାମରିକ ଶାସନକୁ ସମାପ୍ତ କରି ଗଣତାନ୍ତ୍ରିକ ସରକାରର ପ୍ରତ୍ୟାବର୍ତ୍ତନ କରିଥିଲା।
ଶ୍ରୀଲଙ୍କା-
୧୯୮୦ ଏବଂ ୧୯୯୦ ଦଶକରେ ଦେଶରେ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଖାଦେଇଥିଲା । ଶ୍ରୀଲଙ୍କା ଗୃହଯୁଦ୍ଧ (୧୯୮୩–୨୦୦୯) ଦେଶରେ ଅନେକ ରାଜନୈତିକ ସଙ୍କଟ ସୃଷ୍ଟି କରିଥିଲା । ଯେଉଁଥିରେ ତାମିଲ ଟାଇଗର ଏବଂ ସରକାରଙ୍କ ନେତୃତ୍ୱରେ ବିଦ୍ରୋହ ମଧ୍ୟରେ ହିଂସାତ୍ମକ ବିବାଦ ରହିଥିଲା । ୨୦୧୮ ରେ, ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ହଠାତ୍ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ବରଖାସ୍ତ କରି ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ସାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେୱ । ଏହି ପଦକ୍ଷେପ ବଡ ବିବାଦ ଏବଂ ବିରୋଧର କାରଣ ହୋଇଥିଲା । ସୁପ୍ରିମକୋର୍ଟ ସିରିସେନାଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ଏବଂ ବିକ୍ରମସିଂଘେଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।
ପାକିସ୍ତାନ-
ପାକିସ୍ତାନରେ ଚାରି ଚାରି ଥର ସରକାର ଟଳିଛି । ୧୯୫୮ ମସିହାରେ ପାକିସ୍ତାନ ରାଷ୍ଟ୍ରପତି ଇସ୍କନ୍ଦର ମିର୍ଜା ଜେନେରାଲ ଆୟୁବ ଖାନଙ୍କୁ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ ଏବଂ ପରେ ସମ୍ବିଧାନ ସ୍ଥଗିତ ରଖିଥିଲେ । ଏହା ପରେ ଆୟୁବ ଖାନ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ । ସେ ଏକ ସାମରିକ ଶାସନ ଲାଗୁ କରିଥିଲେ ଏବଂ ୧୯୬୨ ମସିହାରେ ଏକ ନୂତନ ସମ୍ବିଧାନ ପ୍ରଣୟନ କରିଥିଲେ, ଯାହା ରାଷ୍ଟ୍ରପତିଙ୍କ ଶକ୍ତି ବୃଦ୍ଧି କରିଥିଲା । ୧୯୬୯ ମସିହାରେ ପାକିସ୍ତାନର ଜେନେରାଲ ଆୟୁବ ଖାନ କ୍ଷମତାରୁ ଇସ୍ତଫା ଦେଇଥିଲେ ଏବଂ ଜେନେରାଲ ୟାହିୟା ଖାନ ଦାୟିତ୍ୱ ଗ୍ରହଣ କରିଥିଲେ । ୟାହିୟା ଖାନ ଆଉ ଏକ ସାମରିକ ନିୟମ ଲାଗୁ କରିଥିଲେ ଏବଂ ୧୯୭୦ ରେ ସାଧାରଣ ନିର୍ବାଚନ କରିଥିଲେ । ଯାହା ପରେ ପୂର୍ବତନ ପାକିସ୍ଥାନ (ବର୍ତ୍ତମାନ ବାଂଲାଦେଶ) ନିଜକୁ ମୁକ୍ତ କଲା । ୧୯୭୭ ମସିହାରେ ପାକିସ୍ତାନର ଜେନେରାଲ ଜିଆ ଉଲ୍ ହକ୍ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ଗିରଫ କରାଇଥିଲେ ଏବଂ ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଜିଆ ଉଲ୍ ହକ୍ ଦେଶରେ ଏକ କଠୋର ଇସଲାମିକ୍ ନିୟମ ଲାଗୁ କରିଥିଲେ । ପୁଣି ୧୯୯୯ରେ, ପାକିସ୍ତାନର ଜେନେରାଲ ପରଭେଜ ମୁଶରଫ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସରକାରରୁ ହଟାଇ ସାମରିକ ଶାସନ ଲାଗୁ କରି ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିଲେ । ୨୦୦୧ ରେ, ସେ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ଆମେରିକା ସହ ସହଯୋଗ କରିଥିଲେ । ୨୦୦୮ରେ ସେ ଇସ୍ତଫା ଦେଇଥିଲେ ଏବଂ ପାକିସ୍ତାନକୁ ଗଣତାନ୍ତ୍ରିକ ସରକାର ଫେରିଥିଲ ।