କୋଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଅନେକ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ ଆରମ୍ଭ କରିଛି। ରବିବାର ସକାଳେ କେନ୍ଦ୍ରୀୟ ଏଜେନ୍ସିର ବିଭିନ୍ନ ଟିମ୍ ଉତ୍ତର କୋଲକାତାର କେଶତୋପୁର, ହାଓଡ଼ା, ଏଣ୍ଟାଲିରେ ପହଞ୍ଚିଥିଲେ। ଆରଜି କରଙ୍କ ଫରେନସିକ୍ ମେଡିସିନ୍ ବିଭାଗ ମୁଖ୍ୟ ଦେବାଶିଷ ସୋମଙ୍କ କେଶୋପୁରରେ ଘର ରହିଛି।
ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ସଞ୍ଜୟ ବଶିଷ୍ଠ ଏଣ୍ଟାଲିରେ ରୁହନ୍ତି। ଏତଦ୍ ବ୍ୟତୀତ ହାୱଡ଼ାରେ ବିପ୍ଲବ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରଖିଛି। ଆରଜି କର ହସ୍ପିଟାଲର ପୂର୍ବତନ ଅତିରିକ୍ତ ଅଧୀକ୍ଷକ ଅଖତର ଅଲ୍ଲୀ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଅନ୍ୟମାନଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଶନିବାର ଏତଲା ରୁଜୁ କରି ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ କରିଛି।
କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ଙ୍କ ଠାରୁ ତଦନ୍ତ ଦାୟିତ୍ୱ ନେଇଥିଲା। ହାଇକୋର୍ଟ (ଯିଏ କି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିସାରିଛନ୍ତି) ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ ଦାୟିତ୍ୱ ମଧ୍ୟ ସିବିଆଇକୁ ହସ୍ତାନ୍ତର କରିଛନ୍ତି।
ଡାକ୍ତର ଅଖତର ଅଲ୍ଲୀଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ଅଖତର ୨୦୨୩ ପର୍ଯ୍ୟନ୍ତ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଥିଲେ। ଘୋଷଙ୍କ କାର୍ଯ୍ୟକାଳ ରେ ପଦାକୁ ଆସିଥିବା ଅସଦାଚରଣ ଏବଂ ଆର୍ଥିକ ଦୁର୍ନୀତିର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଦାବି କରି ଅଲ୍ଲୀ ବୁଧବାର ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି।
ଅଧିକ ପଢ଼ନ୍ତୁ: ଆସିବ ନୂଆ ନିୟମ: ଅଗଷ୍ଟ ୩୧ ତାରିଖ ନିର୍ଦ୍ଧାରିତ ସମୟ ସୀମା