ନୂଆଦିଲ୍ଲୀ: କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଉପରେ ନିରବ ରହିବା ନେଇ ବିଜେପି କଂଗ୍ରେସ ନେତାଙ୍କୁ ଟାର୍ଗେଟ୍ କରିଛି । ପାର୍ଟିର କହିବା କଥା ୱାୟନାଡ ଉପ ନିର୍ବାଚନରେ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗାଜା ଉପରେ ଟୁଇଟ୍ ପରେ ଟୁଇଟ୍ କରୁଛନ୍ତି, କିନ୍ତୁ ମନ୍ଦିର ଉପରେ ଆକ୍ରମଣ ହେଲେ ଚୁପ୍ ରହୁଛନ୍ତି । ବିଜେପି ଅଭିଯୋଗ କରିଛି, କଂଗ୍ରେସ ଓ ଏହାର ନେତାଙ୍କ ପାଇଁ ହିନ୍ଦୁଙ୍କ ଜୀବନ ପ୍ରତି କୌଣସି ମୂଲ୍ୟ ନାହିଁ ।
ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ଏହା ଦେଖି ଦୁଃଖ ଲାଗୁଛି ଯେ, ଯେବେ ସବୁ ପାର୍ଟି ଜାତୀୟ ହିତ ପାଇଁ ଏକାଠି ହେବା କଥା କୁହନ୍ତି ସେହି ସମୟରେ ଗାଜାକୁ ନେଇ ୧୦ ଟୁଇଟ୍ କରୁଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦେଶରେ ସଂଖ୍ୟାଲଘୁଙ୍କ ପାଇଁ କଥା କହୁଥିବା ରାହୁଲ ଗାନ୍ଧୀ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣରେ ନିରବ ରହୁଛନ୍ତି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଭାରତର ବିରୋଧୀ ଦଳ କଂଗ୍ରେସ ପାଇଁ ହିନ୍ଦୁଙ୍କ ଜୀବନର କୌଣସି ମହତ୍ୱ ବହନ କରୁନି ।
ସେ କହିଛନ୍ତି, ବାଂଲାଦେଶଠୁ ନେଇ କାନାଡା ପର୍ଯ୍ୟନ୍ତ କିମ୍ବା ଦେଶରେ କେଉଁଠି ବି ଭାରତୀୟ କିମ୍ବା ଦେଶର ଜନତା ସଙ୍କଟର ସାମ୍ନା କରନ୍ତି ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ଛିଡା ହୁଅନ୍ତି । ବିଶ୍ୱରେ ଯେଉଁଠି ବି ହିନ୍ଦୁଙ୍କ ଉପରେ ଆକ୍ରମଣ ହୁଏ ପିଏମ ମୋଦୀ ମୁହଁ ଖୋଲି ଦୃଢ ପ୍ରତିବାଦ ଜଣାନ୍ତି । କିନ୍ତୁ କଂଗ୍ରେସ ସେହି ସମୟରେ ନିରବ ରହେ ।