ନୂଆଦିଲ୍ଲୀ: ଭାରତର ପ୍ରହାରରେ ଥର ହର ପାକିସ୍ତାନ । ସର୍ବଦା ପରମାଣୁ ଯୁଦ୍ଧର ଧମକ ଦେଇ ଆସୁଥିବା ପାକିସ୍ତାନ ଏବେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଦେଖି ଯୁଦ୍ଧ କରିବ ନା ପଛଘୁଞ୍ଚା ଦେବ ସେହି ଆଶଙ୍କାରେ ପଡି ଯାଇଛି । ଏହା ମଧ୍ୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଶନିବାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ଆଗକୁ କୌଣସି ହମଲା ନ କରେ ତେବେ ପାକିସ୍ତାନ ସ୍ଥିତିକୁ ଶାନ୍ତ କରିବା ଉପରେ ବିଚାର କରିବ । ସେ ଏହା ମଧ୍ୟ କହିଛନ୍ତି, ଯଦି ଭାରତ କୌଣସି ନୂଆ ଆକ୍ରମଣ କରେ ତେବେ ଆମେ ନିଶ୍ଚୟ ଜବାବ ଦେବୁ । ଡାର ପାକିସ୍ତାନୀ ସମାଚାର ଚ୍ୟାନେଲ ଜିଓ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମେ ଜବାବ ଦେଇଛୁ କାରଣ ଆମେ ଆଉ ଧୈର୍ଯ୍ୟ ଧରିବା ଅପେକ୍ଷାରେ ନ ଥିଲୁ । ଯଦି ଭାରତ ଆକ୍ରମଣ ବନ୍ଦ କରେ ତେବେ ଆମେ ଯୁଦ୍ଧ ବନ୍ଦ ଉପରେ ବିଚାର କରିବୁ ।
ଡାର ଏହା ମଧ୍ୟ କହିଛନ୍ତି, ସେ ଏହି ସନ୍ଦେଶ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଦେଇଛନ୍ତି । ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବାର ଦୁଇ ଘଣ୍ଟା ପରେ କଲ୍ କରିଥିଲେ । ପାକ୍ ମନ୍ତ୍ରୀଙ୍କ ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ଭାରତ ପାକିସ୍ତାନର ୬ ଏୟାରବେସ୍ ଧ୍ୱସ୍ତ କରିଛି । ଭାରତ କେବଳ ପାକିସ୍ତାନର ଡ୍ରୋନ ଆକ୍ରମଣକୁ ପ୍ରତିହତ କରୁନାହିଁ ବରଂ ଜୋରଦାର ହମଲା କରି ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛନ୍ତି ।
ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ଦ୍ୱାରା ପରସ୍ପରର ସାମରିକ ଘାଟି ଉପରେ ହମଲା ଜାରି ରଖିବା ମଧ୍ୟରେ ପାକିସ୍ତାନ ନିଜ ସେନାକୁ ସୀମାବର୍ତ୍ତୀ ଅଞ୍ଚଳକୁ ପଠାଇବାରେ ଲାଗିଛି । ଏହା ସହିତ ସଂଘର୍ଷ ଆହୁରି ବିପଦଜ୍ଜନକ ରୂପ ନେଇପାରେ । କର୍ଣ୍ଣେଲ ସୋଫିଆ କ୍ୟୁରେସି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଓ ବିଦେଶ ସଚିବ ବିକ୍ରମ ମିଶ୍ରୀଙ୍କ ସହ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ପାକିସ୍ତାନ ସେନା ନିଜର ସୈନିକଙ୍କୁ ସୀମାବର୍ତ୍ତୀ ଅଞ୍ଚଳକୁ ପଠାଉଛି । ପାକିସ୍ତାନ ପଞ୍ଜାବରେ ଉଚ୍ଚ ଗତିର ମିସାଇଲ ଆକ୍ରମଣ ଶ୍ରୀନଗର, ଅବନ୍ତିପୁରା ଏବଂ ଉଧମପୁରରେ ଚିକିତ୍ସା କେନ୍ଦ୍ର ଉପରେ କରିଛି । ଆଉ ଏହାର ଜବାବ ଦେଇଛନ୍ତି ଭାରତୀୟ ସେନା ।