ନୂଆଦିଲ୍ଲୀ: ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ଏକ ବଡ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି ଏଥିସହ ଭାରତ ମରିସସର ବୃହତ୍ତମ ବାଣିଜ୍ୟ ଏବଂ ବିକାଶ ସହଭାଗୀ ଅଟେ । ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି ।
ତେବେ ପ୍ରଧାନମନ୍ତ୍ରୀ ମୋଦୀ ମରିସସରେ ପହଞ୍ଚିବା ପରେ ସ୍ବାଗତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ରାସ୍ତା ସାରା ମୋଦୀ ମରିସସରେ ରହୁଥିବା ଭାରତୀୟଙ୍କୁ ଭେଟିଥିଲେ ସେମାନଙ୍କ ସହ ହାତ ମିଳାଇଥିଲେ ଏବଂ କଥା ହୋଇଥିଲେ । ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ବେଶ୍ ଉତ୍ସାହିତ ରହିଥିଲେ । ତ୍ରିରଙ୍ଗା ପତାକା ଧରି ମୋଦୀଙ୍କୁ ସ୍ବାଗତ କରିବାକୁ ଆସିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ । ଏଥିସହ କୁନିକୁନି ପିଲାଙ୍କ ସହ ହାତ ମିଳାଇ ସେମାନଙ୍କ ସହ ଫଟୋ ନେଇଥିଲେ ମୋଦୀ । ଏଥିସହ ବିହାରୀ ଗୀତରେ ମୋଦୀଙ୍କୁ ସ୍ବାଗତ କରାଯାଇଥିଲା। ବିହାରର ପାରମ୍ପରିକ ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କୁ ମହିଳାମାନେ ସ୍ବାଗତ କରିଥିବା ବେଳେ ମୋଦୀଜି ମଧ୍ୟ ଖୁସି ହୋଇ ତାଳି ମାରୁଥିବା ଦେଖିବାକୁ ମିଳିଥିଲା ।