ନୂଆଦିଲ୍ଲୀ: ହରିୟାଣାରେ ଶନିବାର ଭୋଟିଂ ସରିବା ମାତ୍ରେ ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ବିଭିନ୍ନ ଏଜେନ୍ସି ଓ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ଵାରା କରାଯାଇଥିବା ଏକଜିଟ୍ ପୋଲରେ କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟ ପାଇଁ ଆସିଛି ଖୁସିର ଖବର ଆସିଥିବା ବେଳେ ବିଜେପିକୁ ଝଟକା ଲାଗିଛି। ଏକଜିଟ୍ ପୋଲ୍ ଅନୁସାରେ ଜମ୍ମୁ-କାଶ୍ମୀରରେ ଇଣ୍ଡିଆ ମେଣ୍ଟକୁ ଅଧିକ ଆସନ ମିଳିପାରେ। ଆଉ ବିଜେପିକୁ ଜମ୍ମୁ-କାଶ୍ମୀରରେ ନିରାଶ ହେବାକୁ ପଡ଼ିପାରେ। ଏପରିକି ଉପତ୍ୟକା ରାଜ୍ୟରେ ଝୁଲ ସରକାର ଦେଖିବାକୁ ମିଳିପାରେ ।
ପବ୍ଲିକ ଟିଭି ମ୍ୟାଟ୍ରିଜର ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୨୮ରୁ ୩୦ ସିଟ୍ ମିଳିପାରେ। ଅନ୍ୟପଟେ ଇଣ୍ଡିଆ ମେଣ୍ଟ ଅଧିକ ସିଟ୍ ପାଉଥିଲେ ହେଁ ମ୍ୟାଜିକ ନମ୍ବର ଛୁଇଁ ନପାରେ । ତେବେ ଏକାକୀ ନ୍ୟାସନାଲ କନଫରେନ୍ସକୁ ୩୦ରୁ ଅଧିକ ଆସନ ମିଳିପାରେ। କଂଗ୍ରେସ ୩ରୁ ୬ ଆସନ ଜିତିପାରେ । ଏକାକୀ ନିର୍ବାଚନ ଲଢିଥିବା ପିଡିପିକୁ ୫ରୁ ୭ ସିଟ୍ ମିଳିପାରେ।
ଦୈନିକ ଭାସ୍କରର ଏକଜିଟ୍ ପୋଲ୍ ଅନୁସାରେ, ବିଜେପିକୁ ୨୦ରୁ ୨୫ ଆସନ ମିଳିବପାରେ। ଇଣ୍ଡିଆ ମେଣ୍ଟକୁ ୩୫ରୁ ୪୦ ଆସନ, ପିଡିପିକୁ ୪ରୁ ୭ ଓ ଅନ୍ୟ ଖାତାକୁ ୧୨ରୁ ୧୬ ସିଟ୍ ଆସିପାରେ।
ପିପୁଲ ପଲ୍ସର ଏକଜିଟ୍ ପୋଲ୍ ଅନୁଯାୟୀ, ବିଜେପି ୨୩ରୁ ୨୭ ଆସନ ମିଳିପାରେ। ଏଠାରେ ଇଣ୍ଡିଆ ମେଣ୍ଟକୁ ୪୬ରୁ ୫୦ ସିଟ୍ ସହ ସଂଖ୍ୟା ଗରିଷ୍ଠ ମିଳିପାରେ। ଅନ୍ୟ ଖାତାକୁ ୪ରୁ ୬ ଆସନ ମିଳିପାରେ।
ଆଜତକ ସି ଭୋଟରର ଏକଜିଟ୍ ପୋଲ୍ ମୁତାବକ, ବିଜେପି ୨୭ରୁ ୩୨ ଆସନ ଜିତିପାରେ। ଇଣ୍ଡିଆ ମେଣ୍ଟରେ ଥିବା କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସକୁ ୪୦ରୁ ୪୮ ସିଟ୍ ମିଳିପାରେ। ପିଡିପି ୬ରୁ ୧୨ ଓ ଅନ୍ୟ ପାର୍ଟି ୬ ରୁ ୧୧ ସିଟ୍ ଜିତି ପାରନ୍ତି ।
ମ୍ୟାଟ୍ରିଜ ଏକଜିଟ୍ ପୋଲ୍ ଅନୁସାରେ, ବିଜେପି ୨୮ରୁ ୩୦ ସିଟ୍ ଜିତିପାରେ। ଠିକ୍ ସମାନ ଆସନ ଇଣ୍ଡିଆ ମେଣ୍ଟକୁ ମିଳିପାରେ। ପିଡିପି ୫ରୁ ୭ ଓ ଅନ୍ୟାନ୍ୟକୁ ୮ରୁ ୧୬ ଆସନ ମିଳିପାରେ।
ସୂଚନାଯୋଗ୍ୟ, ୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଶେଷଥର ୨୦୧୪ରେ ନିର୍ବାଚନ ହୋଇଥିଲା । ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯାଇ ଧାରା ୩୭୦ ଏବଂ ୩୫ଏ ଉଚ୍ଛେଦ କରାଯାଇଥିଲା। ଜମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଏହା ପରେ ପ୍ରଥମ ଥର ୯୦ ଆସନ ବିଶିଷ୍ଟ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି।