୧୧୨୬ ନୂଆଁ କରୋନା ରୋଗୀ ବଢ଼ାଇଲେ ୱାର୍ଦ୍ଧା ପ୍ରଶାସନର ଚିନ୍ତା, କର୍ଫ୍ୟୁ ଘୋଷଣା
Khabar Odisha:Nation-36-hours-new-curfew-imposed-again-in-Wardha-district-of-Maharashtra-corona

ମୁମ୍ବାଇ, ଫେବୃଆରୀ ୨୭ (ଖବର ଓଡ଼ିଶା): ମହାରାଷ୍ଟ୍ରର ୱାର୍ଦ୍ଧ୍ୱାରେ ଶନିବାର ରାତି ୮ଟାରୁ ସୋମବାର ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ମେଡିକାଲ ଷ୍ଟୋର ଓ ଅନ୍ୟ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଜିନିଷ ବନ୍ଦ ରହିବ । ଏହି ନୂଆ ଆଦେଶ ଯୋଗୁଁ ସହରର ପେଟ୍ରୋଲ ପମ୍ପଗୁଡ଼ିକ ମଧ୍ୟ ବନ୍ଦ ରଖିବାକୁ ଆଦେଶ ହୋଇଛି । ୱାର୍ଦ୍ଧା ଜିଲ୍ଲାରେ ବିଗତ ୧୦ ଦିନ ମଧ୍ୟରେ ୧୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ମଧ୍ୟ ୱାର୍ଦ୍ଧାରେ କର୍ଫ୍ୟୁ ଲାଗୁ କରାଯାଇଥିଲା । 

ଦ୍ରୁତଗତିରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଏହାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାର ଶକ୍ତ ଗାଇଡ଼ଲାଇନ ଜାରି କରିଛନ୍ତି । ୱାର୍ଦ୍ଧା ଜିଲ୍ଲାପାଳ ପ୍ରେରଣା ଏଚ୍ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିଥିବାକୁ ଦେଖି ସମସ୍ତ ସ୍କୁଲ ଓ କଲେଜକୁ ଆଗାମୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି । 

ମହାରାଷ୍ଟ୍ରରେ ଗୁରୁବାର ଠାରୁ ଶୁକ୍ରବାର ୨୪ ଘଣ୍ଟା ମଧ୍ୟରେ ୮୩୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୩୮ ହଜାର ୧୫୪କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୮ ଜଣଙ୍କର ମୃତ୍ୟୁ ହେବା ପରେ ମୋଟ ସଂଖ୍ୟା ୫୨ ହଜାର ୪୧ରେ ପହଂଚିଛି । ମହାରାଷ୍ଟ୍ରରେ ଶୁକ୍ରବାର ମୋଟ ୪ ହଜାର ୯୩୬ ଜଣ ସୁସ୍ଥ ହେବା ସହ ସଂଖ୍ୟା ୨୦ ଲକ୍ଷ ୧୭ ହଜାର ୩୦୩କୁ ଛୁଇଁଛି । 

 

 

  • Tags:

Subscribe

National International State Sports Entertainment