ବେଲଗାଭୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ଥିବା ଗାଁ ହେଉଛି ହୀରେବିଦାନୁର । ଏହି ଗାଁରେ ପ୍ରତି ବର୍ଷ ମହରମ ପର୍ବକୁ ଧୂମଧାମରେ ପାଳନ କରାଯାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ଗାଁରେ ଜଣେ ବି ମୁସଲିମ୍ ବ୍ୟକ୍ତି ନାହାନ୍ତି । ଜିଲ୍ଲାର ହିରେବିଦାନୁର ଗାଁର ସଡ଼କକୁ ରଂଗୀନ ଆଲୋକରେ ସଜ୍ଜିକରଣ କରାଯାଇଛି । ଶୋଭାଯାତ୍ରା ବାହାରି ଥାଏ ।
ଏହି ଗାଁରେ ଇସ୍ଲାମ ନାଁରେ ଏକମାତ୍ର ମସଜିଦ ରହିଛି, ଯେଉଁଠାରେ ହିନ୍ଦୁ ପୂଜାରୀ ପାରଂପରିକ ଭାବେ ଦେଶର ସମୃଦ୍ଧି ସମକାଳୀନ ସଂସ୍କୃତିର ଉତ୍ସବରେ ଧାର୍ମିକ ଅନୁଷ୍ଠାନ କରିଥାନ୍ତି । ହିରେବିନାନୁର ବେଲଗାଭୀ ଠାରୁ ୫୧ କିମି ଦୂରରେ ରହିଛି । ଏଠାରେ ପ୍ରାୟ ୩୦୦୦ ଲୋକ ବସବାସ କରନ୍ତି । ଅଧିକାଂଶ ଲୋକ କୁରୁବା ଓ ବାଲ୍ମିକୀ ସଂପ୍ରଦାୟ ସହିତ ଜଡ଼ିତ ।
ଏହି ଧାର୍ମିକ ସ୍ଥଳୀକୁ ‘ଫକୀରେଶ୍ୱର ସ୍ୱାମୀଙ୍କ ମସ୍ଜିଦ’ କୁହାଯାଇଥାଏ । ଏଠାରେ ଗାଁର ଲୋକେ ନିଜର ମନୋକାମନା ପୂରା କରିବା ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ଅଂଚଳର ବିଧାୟକ ମହତେଶ କୌଜାଲଗୀ ନିକଟରେ ମସଜିଦ ଭବନର ମରାମତି ପାଇଁ ୮ ଲକ୍ଷ ଟଙ୍କା ମଂଜୁରୀ କରିଥିଳେ । ମସଜିଦର ପୂଜାରୀ ୟଲ୍ଲାପ୍ପା ନାୟକର କହିଛନ୍ତି, ଆମେ ପ୍ରତିବର୍ଷ ମହରମ ସମୟରେ ନିକଟ ବେଭିନକଟ୍ଟ ଗାଁରୁ ଜଣେ ମୌଲବୀଙ୍କୁ ଆମନ୍ତ୍ରିତ କରୁ । ସେ ଏକ ସପ୍ତାହ ପର୍ଯ୍ୟନ୍ତ ମସଜିଦରେ ରୁହନ୍ତି । ପାରଂପରିକ ଭାବେ ଇସଲାମିକ ନମାଜ ପାଠ କରନ୍ତି । ଅନ୍ୟ ଦିନରେ ମସଜିଦର ଦାୟିତ୍ୱ ମୋ ହାତରେ ନ୍ୟସ୍ତ ଥାଏ । ନାୟକର କହିଛନ୍ତି ଯେ, ୨ ମୁସଲିମ ଭାଇ ବହୁଦ ଦିନ ହେଲା ୨ଟି ମସଜିଦ ପ୍ରତିଷ୍ଠା କରିଥିଲେ । ଗୋଟଏ ଗୁଟନାଟି ନିକଟରେ ଓ ଅନ୍ୟଟି ହିରେବିଦାନୁରରେ ରହିଛି । ତାଙ୍କର ମୃତ୍ୟୁ ପରେ ଲୋକେ ମସଜିଦରେ ପୂଜାର୍ଚ୍ଚନା କରୁଛନ୍ତି ଏବଂ ପ୍ରତିବର୍ଷ ମହରମ ପାଳନ କରାଯାଉଛି ।