ଶିଭମୋଗା, ଜାନୁଆରୀ ୨୨ (ଖବର ଓଡ଼ିଶା): ବିଳମ୍ବିତ ରାତିରେ କର୍ଣ୍ଣାଟକର କିଛି ଅଂଚଳରେ ଝଟକା ଅନୁଭୂତ ହୋଇଛି । ବେଙ୍ଗାଲୁରୁ ଠାରୁ ୩୫୦ କିଲୋମିଟର ଦୂର ଶିଭମୋଗାରେ ଲୋକେ ଏକ ଭୟଙ୍କର ଶବ୍ଦ ଶୁଣିଛନ୍ତି । ଏହି ଘଟଣା ଜାନୁଆରୀ ୨୧ ତାରିଖ ରାତି ସାଢ଼େ ୧୦ଟାରେ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଲୋକଙ୍କର ଘରେ ଲାଗିଥିବା ଝରକାର କାଚ ଭାଙ୍ଗି ଯାଇଛି । ଲୋକେ ଅନୁମାନ କରୁଥିଲେ ଯେ, ଭୂକମ୍ପ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି । କିନ୍ତୁ ପରେ ଜଣାପଡ଼ିଥିଲା ଯେ, ଏକ ବିସ୍ଫୋରଣ ଯୋଗୁଁ ଏହା ହୋଇଛିି ।
କୁହାଯାଉଛି ଯେ, ଟ୍ରକରେ ବିସ୍ଫୋରକ ସାମଗ୍ରୀ ନେଇଯାଉଥିବା ବେଳେ ବିସ୍ଫୋରର ହୋଇଥିଲା । ଏହି ସାମଗ୍ରୀ ଖନନ କାର୍ଯ୍ୟରେ ବ୍ୟବହାର ପାଇଁ ନିଆଯାଉଥିଲା । ଭୟଙ୍କର ଶବ୍ଦ ହେବା ଯୋଗୁଁ କିଛି ଲୋକ ଭୂବିଜ୍ଞାନର ବୈଜ୍ଞାନିକଙ୍କୁ ଯୋଗାଯୋଗ କରିଥିଲେ । ଜଣେ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଶିଭମୋଗାର ବାହାର ଅଂଚଳରେ ଗ୍ରାମାଂଚଳ ପୋଲିସ ଥାନା ଅନ୍ତର୍ଗତ ହଂସୁରରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ଅନ୍ୟ ଜଣେ ପୋଲିସ କହିଛନ୍ତି ଯେ, ଜିଲୋଟିନ ନେଇ ଯାଉଥିବା ଟ୍ରକରେ ବିସ୍ଫୋରଣ ହୋଇଥିଲା ।
ଶିଭମୋଗା ଜିଲ୍ଲାପାଳ ଶିବକୁମାର କହିଛନ୍ତି ଯେ, ହୁନାସୋଡୁ ଗାଁରେ ଏକ ରେଲୱେ କ୍ରସର ସାଇଟରେ ଡିନାମାଇଟ ବିସ୍ଫୋରଣ ହୋଇଛି, ଯେଉଁଥିରେ କି ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଶିଭମୋଗା ସହର ଠାରୁ ପାଖାପାଖି ୫-୬ କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଛି । ଘଟଣା କାରଣ ଜାଣିବାକୁ ଉଦ୍ୟମ ହୋଇଛି ।