ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲା ଦୁର୍ଗରେ ସୋମବାର ଜାତୀୟ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଲାଲକିଲ୍ଲାରୁ ଦେଶବାସୀଙ୍କୁ ଗୌରବଗାନ କରିବାର ସୁଯୋଗ ମିଳିଛି । ଆପଣମାନଙ୍କଠାରୁ ବହୁତ ଶିଖିଛି, ବହୁତ ଜାଣିବାକୁ ପାଇଛି । ଆପଣଙ୍କର ସୁଖ-ଦୁଃଖକୁ ବୁଝିଛି । ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଥିଲା ଯେ, ଶେଷରେ ଲୋକଙ୍କ ନିକଟରେ ଲାଭ ପହଞ୍ଚୁ । ମୁଁ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ପୂରା କରିବା ପାଇଁ ନିଜକୁ ସମର୍ପିତ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱ ଭାରତର ଗୌରବକୁ ଦେଖୁଛି । ବିଶ୍ୱ ସମସ୍ୟାର ସମାଧାନ ଭାରତ ମାଟିରେ ଖୋଜୁଛି । ଏହା ଆମର ୭୫ ବର୍ଷର ଅଭିଜ୍ଞତା ଯାତ୍ରାର ପରିଣାମ । ଆମେ ଯେଉଁଭଳି ଭାବେ ସଂକଳ୍ପ ନେଇ ଆଗକୁ ବଢ଼ିଛି, ବିଶ୍ୱ ଆମକୁ ଦେଖିବା ନିଶ୍ଚିତ । ଏହାକୁ ମୁଁ ତିନିଟି ଶକ୍ତି ଭାବେ ଦେଖୁଛି । ପ୍ରଧାନମନ୍ତ୍ରୀ ମୋଦୀ ଯୁବଗୋଷ୍ଠୀଙ୍କୁ ନିକଟରେ ଅପିଲ କରିଛନ୍ତି ଯେ, ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏବେଠାରୁ ସଂକଳ୍ପ ନିଅନ୍ତୁ । ଏହା ଦ୍ୱାରା ଦେଶ ବିକଶିତ ହେବ । ବିକାଶର କେନ୍ଦ୍ରରେ ମନୁଷ୍ୟ ହେବ । ସେ କହିଛନ୍ତି ଯେ, ଦେଶ ଯେତେବେଳେ ୧୦୦ ବର୍ଷ ପୂରଣ କରିବ, ସେହି ସମୟରେ ଯୁବା ୫୦-୫୫ ବର୍ଷର ହେବ ।