ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା): ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ଚୁରାଚାନ୍ଦପୁର ଠାରେ ରବିବାର-ସୋମବାର ରାତି ୨ଟା ୬ ମିନିଟ ୫୪ ସେକେଣ୍ଟରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ଥିଲା ।
ମଣିପୁରରେ ଆଜି ରାତିରେ ହୋଇଥିବା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । ମଧ୍ୟ ରାତ୍ରୀରେ ଏହା ହୋଇଥିବାରୁ ଅନେକ ଲୋକ ଜାଣିପାରି ନାହାନ୍ତି । କିନ୍ତୁ ଯେଉଁମାନେ ନିଜର ଜରୁରୀକାଳୀନ କାମ ପାଇଁ ଘରୁ ବାହାରେ ଥିଲେ, ସେମାନେ ଭୂକମ୍ପ ସଂପର୍କରେ ଅବଗତ ହୋଇଛନ୍ତି ।
ତେବେ ବିଗତ ୧୨ ଘଣ୍ଟା ମଧ୍ୟରେ ଏହା ହେଉଛି ଦେଶରେ ୨ୟ ଭୂମିକମ୍ପ । ଏହା ପୂର୍ବରୁ ମହାରାଷ୍ଟ୍ରର ନାଶିକ ଓ ପାଳଘରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ମପାଯାଇଥିଲା । ନିକଟରେ ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପରେ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ହଜାର ଲୋକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲେ ।