ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା): ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି । ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ସ୍ମରଣୀୟ ରଖିବା ପାଇଁ କେନ୍ଦ୍ର ସରକାର ପ୍ରାୟ ଏକ ବର୍ଷ ହେଲା ଉଦ୍ୟମ ଜାରି ରଖିଛନ୍ତି । ସେଥିପାଇଁ ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଦେଶରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ଗତ ୨ ତାରିଖ ଠାରୁ ‘ହର ଘର ତ୍ରିରଙ୍ଗା ଅଭିଯାନ’ ଆରମ୍ଭ ହୋଇଛି । ଏହି ପର୍ବକୁ ସଫଳ ରୂପ ଦେବା ପାଇଁ କେନ୍ଦ୍ର ସମେତ ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ଲାଗି ପଡ଼ିଛନ୍ତି ।
ଉତ୍ତର ପ୍ରଦେଶ ସରକାର ରାଜ୍ୟର ପ୍ରାୟ ସାଢ଼େ କୋଟି ପରିବାର, ସରକାର ଓ ଘରୋଇ ସଂସ୍ଥାରେ ତ୍ରିରଙ୍ଗା ଉଡାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଗୁଜରାଟର ସୁରତରେ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ପଟେଲ ‘ହର ଘର ତ୍ରିରଙ୍ଗା’ ରାଲିରେ ସାମିଲ ହୋଇଛନ୍ତି । ସେହିପରି ଗୁଜରାଟର ଭଦୋଦରାରେ ତ୍ରିରଙ୍ଗା ଭଳି ଦେଖାଯାଉଥିବା ମିଠା ପ୍ରସ୍ତୁତ ହୋଇଛି ।
ଦିଲ୍ଲୀର ସଦର ବଜାରରେ ତ୍ରିରଙ୍ଗା କିଣିବା ପାଇଁ ଯୁବପିଢ଼ି ଉତ୍ସାହିତ ଦେଖାଯାଇଛନ୍ତି । ପୂର୍ବ ବର୍ଷ ଗୁଡ଼ିକର ତୁଳନାରେ ଏଥର ଲୋକଙ୍କର ତ୍ରିରଙ୍ଗା ଚାହିଦା ୧୦ଗୁଡ଼ ବଢ଼ିଛି । ତାମିଲନାଡୁର କୋଏମ୍ବାଟୁରରେ ପୋଷ୍ଟ ଅଫିସରେ ମଧ୍ୟ ତ୍ରିରଙ୍ଗା ବିକ୍ରି କରାଯାଉଛି ।