ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିଲ୍ଲୀର ଭାରତ ମଣ୍ଡପମରେ ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବା ପରେ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ବଡ଼ ଆଲୋଚନା। ନୀତି ଆୟୋଗର ଏକ ବିବୃତ୍ତି ଅନୁଯାୟୀ, ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ 'ଟିମ୍ ଇଣ୍ଡିଆ' ଭାବରେ ସମସ୍ତ ରାଜ୍ୟ ସହିତ କାମ କରିବାର ପ୍ରତିବଦ୍ଧତାକୁ ରେଖାଙ୍କିତ କରାଯିବ।
ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଅର୍ଥନୀତି ଉପରେ ଧ୍ୟାନ ଦେବା ହେବ। ଅଧିକାରୀଙ୍କ ଅନୁଯାୟୀ, ବୈଠକରେ ୨୦୨୫-୨୬ ବଜେଟରେ ନିଆଯାଇଥିବା ପଦକ୍ଷେପ ଏବଂ ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ପରେ ଭାରତୀୟ ଅର୍ଥନୀତି ଅସୁବିଧାର ସମ୍ମୁଖୀନ ହେଉଛି। ଆମେରିକାର ଅର୍ଥନୀତି ମାନ୍ଦାବସ୍ଥା ଆଡକୁ ମୁହାଁଇବା, ଚୀନର ଅଭିବୃଦ୍ଧି ହାରରେ ତୀବ୍ର ହ୍ରାସ ଏବଂ ବିଶ୍ୱ ସ୍ତରରେ ଦେଶଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପରେ ହ୍ରାସର ସମ୍ଭାବନା ସତ୍ତ୍ୱେ, ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୨ ରୁ ୬.୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ଅନିଶ୍ଚିତ ପରିବେଶ ଏବଂ ଉଚ୍ଚ ବାଣିଜ୍ୟ ଉତ୍ତେଜନାକୁ ଉଲ୍ଲେଖ କରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କ 2025-26 ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଯଥାକ୍ରମେ ୬.୨ ଏବଂ ୬.୩ ପ୍ରତିଶତକୁ ହ୍ରାସ କରିଛନ୍ତି।
ସୂଚନାଯୋଗ୍ୟ, ନୀତି ଆୟୋଗର ସର୍ବୋଚ୍ଚ ସଂସ୍ଥା ଗଭର୍ଣ୍ଣିଂ କାଉନସିଲରେ ସମସ୍ତ ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନୀତି ଆୟୋଗର ଅଧ୍ୟକ୍ଷ। ଗତ ବର୍ଷ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଂଶଗ୍ରହଣ କରିନଥିଲେ।
ଅଧିକ ପଢ଼ନ୍ତୁ: ଜର୍ମାନୀର ରେଳ ଷ୍ଟେସନରେ ତାଣ୍ଡବ ରଚିଲେ ମହିଳା