ଡେରାଡୁନ୍: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଶନିବାର ଏକ ମିନିବସ୍ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଛି। ୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଗାଡ଼ି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ୬୦୦ ଫୁଟ୍ ତଳେ ପ୍ରବାହିତ ରୁଦ୍ରପ୍ରୟାଗ ନଦୀକୁ ଖସିପଡ଼ିଛି। ଫଳରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜ୍ୟ ସରକାର ଏହି ଦୁର୍ଘଟଣା ନେଇ ତଦନ୍ତ ଆଦେଶ ଜାରି କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକ ମିନିବସ୍ ୨୬ ଜଣ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀରୁ ଚୋପତା-ତୁଙ୍ଗନାଥ-ଚନ୍ଦ୍ରଶିଳା ଟ୍ରାକିଂ ପାଇଁ ବାହାରିଥିଲା। କୁହାଯାଉଛି ଯେ, ପୂର୍ବାହ୍ଣ ସାଢ଼େ ୧୧ଟା ବେଳକୁ ବଦ୍ରୀନାଥ ଜାତୀୟ ରାଜପଥ ଦେଇ ଗାଡ଼ି ଆଗକୁ ବଢୁଥିଲା। ଏହି ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା। ଚାଳକ ନିୟନ୍ତ୍ରଣ ହରାଇବାରୁ ମିନିବସ୍ଟି ୬୦୦ ଫୁଟ ତଳେ ପ୍ରବାହିତ ହେଉଥିବା ଅଳକାନନ୍ଦାରେ ଖସି ପଡ଼ିଥିଲା।
ସୂଚନା ପାଇ ସ୍ଥାନୀୟ ପୁଲିସ, ଅଗ୍ନିଶମ ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଏୟାରଲିଫ୍ଟ କରାଯାଇଥିଲା। ତେବେ ଡାକ୍ତରଖାନାରେ ଡାକ୍ତର ୧୪ ଜଣ ଲୋକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତ ଓ ଗୁରୁତରମାନଙ୍କର ଚିକିତ୍ସା ଜାରି ରହିଛି।
ରିପୋର୍ଟ ଅନୁସାରେ ଏହି ମିନିବସ୍ ଚାରିଧାମ ଯାତ୍ରା ପାଇଁ ଯାଉ ନଥିଲା। ଏଥି ପାଇଁ ଏହାର ପାଖରେ ଟ୍ରିପ୍ କାର୍ଡ ନଥିଲା। ସେହିପରି ଯାତ୍ରୀମାନଙ୍କର ମଧ୍ୟ ପଂଜୀକରଣ ହୋଇ ନଥିଲା। କିନ୍ତୁ ଯେଉଁ ଗାଡ଼ି ଚାରିଧାମକୁ ଯାଇଥାଏ, ତାର ଟ୍ରିପ୍ କାର୍ଡ ବାଧ୍ୟତାମୂଳକ ଭାବେ କରାଯାଏ। ପଂଜୀକରଣ ଚେକିଂ ପାଇଁ ଗାଡ଼ିକୁ ବ୍ରହ୍ମପୁରୀରେ ଅଟକାଯାଇଥିଲା। କିନ୍ତୁ ଡ୍ରାଇଭର କହିଥିଲେ, ତୁଙ୍ଗନାଥ ଯାଉଛୁ। ଏଥିପାଇଁ ଚେକପୋଷ୍ଟରୁ ଗାଡ଼ିକୁ ଛାଡ଼ି ଦିଆଯାଇଥିଲା।