ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ କବିତା ଚୌଧୁରୀଙ୍କର ହାର୍ଟ ଆଟାକରେ ପରଲୋକ ଘଟିଛି । ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବାରୁ କବିତା ଙ୍କର ଚିକିତ୍ସା ଚାଲିଥିଲା । ଶେଷରେ ସେ ୬୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଶୀ ଦଶକର ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବେ କବିତା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
୧୯୮୯-୯୧ରେ ଦୂରଦର୍ଶନରେ ପ୍ରସାରିତ ହୋଇଥିବା ଧାରାବାହିକ ‘ଉଡ଼ାନ’ରେ ସେ ଆଇପିଏସ ଅଧିକାରୀ କଲ୍ୟାଣୀ ସିଂହ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲେ । ଏଥିସହିତ ୨୦୦୦ରେ ‘ୟୋର ଅନର’ ଓ ୨୦୧୫ରେ ‘ଆଇପିଏସ ଡାଏରୀ’ରେ ସେ ଅଭିନୟ କରିଥିଲେ । ପଞ୍ଜାବର ଅମୃତସର ଜନ୍ମମାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କ ଭାଈ ତାଙ୍କୁ ମୁଖାଗ୍ନି ଦେଇଥିଲେ । କବିତାଙ୍କ ମୃତ୍ୟୁ ଖବର ପାଇବା ପରେ ଅଭିନୟ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହିତ ତାଙ୍କର ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହାର୍ଟ ଆଟାକ ପରେ ତାଙ୍କୁ ଅମୃତସରର ପବିତ୍ରା ଦେବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସମସ୍ତେ ଆଶା କରିଥିଲେ, କିନ୍ତୁ ସେ ଶବ ହୋଇ ଫେରିଥିଲେ ।
ଅଧିକ ପଢନ୍ତୁ : ଯୁଆ ଆଡ୍ଡା ଉପରେ ଚଢ଼ାଉ : ୨୫ ଗିରଫ