ସମ୍ପ୍ରସାରିତ ହେଲା କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ । ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି. ଶିବକୁମାରଙ୍କ ସହ ୧୦ ମନ୍ତ୍ରୀ ଶପଥ ନେଇଥିବାବେଳେ ଆଜି ଆଉ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ ମିଶାଇ କ୍ୟାବିନେଟରେ ୩୪ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ତେବେ ନୂଆ କ୍ୟାବିନେଟରେ ଜାତି ବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣ ସନ୍ତୁଳନ ରକ୍ଷା କରିଛନ୍ତି ସିଦ୍ଦରମୟା ।
ନୂଆ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ୯ ଜଣ ନୂଆ ମୁହଁ ଓ ଜଣେ ମହିଳା । ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ୬ଜଣ ଭୋକାଲିଗା ସମ୍ପ୍ରଦାୟର, ୮ ଜଣ ଲିଙ୍ଗାୟତ୍ତ ବର୍ଗର । ଏସସି ବର୍ଗର ୪ ଜଣ, ଏସଟି ବର୍ଗର ୨ ଜଣ ଓ ଓବିସି ଅନ୍ତର୍ଗତ କୁରୁବା, ରାଜୁ, ମରାଠା, ଏଡିଗା ଓ ମୋଗବୀରା ସମ୍ପ୍ରଦାୟରୁ ୫ ଜଣଙ୍କୁ ସାମିଲ କରାଯାଇଛି । ଶପଥ ନେଇଥିବା ଏହି ୨୪ଜଣଙ୍କ ନାମ ସିଦ୍ଧରମୈୟା, ଶିବକୁମାର, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ ଓ ରଣଦୀପ ସୂର୍ଜେଓ୍ବାଲାଙ୍କୁ ନେଇ ହୋଇଥିବା ଆଲୋଚନାରେ ସ୍ଥିରୀକୃତ ହୋଇଥିଲା । ଚୂଡ଼ାନ୍ତ ତାଲିକାକୁ ମଞ୍ଜୁର କରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ଏମାନଙ୍କୁ ଶପଥ ପାଠ କରାଇଛନ୍ତି ।