ତାମିଲନାଡୁ: ସମୁଦ୍ର ଉପରେ ନିର୍ମାଣ ହେଲା ଦେଶର ପ୍ରଥମ ଗ୍ଲାସ ବ୍ରିଜ୍ (କାଚ ସେତୁ) । ତାମିଲନାଡୁର କନ୍ୟାକୁମାରୀ ଠାରେ ବିବେକାନନ୍ଦ ରକ୍ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ।
ଏହି ସେତୁ ଉପର ଦେଇ ପର୍ଯ୍ୟଟକ ମାନେ ସହଜରେ ବିବେକାନନ୍ଦ ରକ୍ ମେମୋରିଆଲରୁ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ପର୍ୟ୍ୟନ୍ତ ଚାଲି ଯାଇପାରିବା ସହ ସମୁଦ୍ରର ଅନନ୍ୟ ସୌନ୍ଦର୍ୟ୍ୟକୁ ମଧ୍ୟ ଉପଭୋଗ କରିପାରିବେ।
ସମୁଦ୍ର ଉପରେ ନିର୍ମିତ ଏହି ଗ୍ଲାସ ବ୍ରିଜକୁ ଏକ ଭିନ୍ନ ଶୈଳୀରେ ଡିଜାଇନ୍ କରାଯାଇଛି। ଏହି କାଚ ବ୍ରିଜର ଲମ୍ବ ୭୭ ମିଟର ରହିଥିବା ବେଳେ ଚଉଡା ରହିଛି ୧୦ ମିଟର । ଏହି ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୩୭ କୋଟି ଟଙ୍କା । ଏହାକୁ ପ୍ରସ୍ତୁତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହୃତ ହୋଇଛି। ଶକ୍ତିଶାଳୀ ସମୁଦ୍ର ପବନ ସମେତ ବାତ୍ୟା ଭଳି ବିପଜ୍ଜନକ ସାମୁଦ୍ରିକ ଅବସ୍ଥାକୁ ପ୍ରତିହତ କରିବା ପାଇଁ ଗ୍ଲାସ୍ ବ୍ରିଜର ଡିଜାଇନ୍ କରାଯାଇଛି।
ସେତୁ ନିର୍ମାଣ ସମୟରେ ପର୍ୟ୍ୟଟକଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଦ୍ୱାରା ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ରୌପ୍ୟ ଜୟନ୍ତୀ ପାଳନ ପାଇଁ ତିନି ଦିନିଆ ଉତ୍ସବ ଆରମ୍ଭରୁ ଗ୍ଲାସ୍ ଫାଇବର ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ।