ମୁୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗତକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା । ଏବେ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ । ଏଥର ନିର୍ବାଚନରେ ଦୁଇ ମେଣ୍ଟ ମଧ୍ୟରେ ସିଧାସଳଖ ମୁକାବିଲା ଏବଂ ଉଭୟରେ ତିନି ତିନି ଦଳ ସାମିଲ । ତଥାପି ମୁକାବିଲା ବହୁତ ଜଟିଳ ରହିଛି । ଏହାର କାରଣ ଏନସିପି ଓ ଶିବସେନାର ଦୁଇ ଦୁଇ ଗୋଷ୍ଠୀ ଉଭୟ ପାଶ୍ୱର୍ରେ ରହିଛନ୍ତି । ଏମିତି ସ୍ଥିତିରେ ଭୋଟର କାହା ସହ ରହିବେ ଏବଂ କାହା ବିରୋଧରେ ରହିବେ ତାହା ବଡ ପ୍ରଶ୍ନ ।
ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା ଯେ, ଅଜିତ ପାୱାରଙ୍କ ଏନସିପି ତୁଳନାରେ ଶରଦ ପାୱାରଙ୍କ ଏନସିପିକୁ ସମର୍ଥନ ଦେଇଥିଲେ । ସେହିପରି ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟ ଦୁଇ ଗୋଷ୍ଠୀରେ ବିଭକ୍ତ । ସାଧାରଣ ନିର୍ବାଚନରେ ଦୁଇ ଦଳକୁ ସମାନ ଭୋଟ୍ ମିଳିଥିଲା ।
ଏଥର ସ୍ଥିତି ଜଟିଳ ରହିଛି । ଅନେକ ସିଟରେ ପୁରୁଣା ଓ ନୂଆ ଏନସିପିର ପ୍ରାର୍ଥୀ ମଇଦାନରେ ଅଛନ୍ତି । ସମାନ ସ୍ଥିତି ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ରହିଛି । ଏମିତି ସ୍ଥିତିରେ କେଉଁ ନେତାଙ୍କୁ ଜନତା ଅଧିକ ପସନ୍ଦ କରିବେ ତାହା ମଧ୍ୟ ବଡ ପ୍ରଶ୍ନ । ତେବେ ଏହା ମଧ୍ୟରେ ଏକ ସର୍ଭେ ହୋଇଛି ଯେଉଁଥିରେ ଜାଣିବାକୁ ଚେଷ୍ଟା କରାଯାଇଛି ଯେ, ଲୋକେ ମୁଖ୍ୟମନ୍ତ୍ରୀ ଭାବେ କେଉଁ ନେତାଙ୍କୁ ଅଧିକ ପସନ୍ଦ କରନ୍ତି । ସି ଭୋଟର ସର୍ଭେ ଅନୁସାରେ ପ୍ରଥମ ସ୍ଥାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହା ସଭିଙ୍କୁ ଚକିତ କରିବ । ଦ୍ୱିତୀୟରେ ଉଦ୍ଧବ ଠାକରେ ରହିଛନ୍ତି ।
ଅନ୍ୟପଟେ ପୂରା ୫ ବର୍ଷ ସରକାର ଚଳାଇଥିବା ଦେବେନ୍ଦ୍ର ଫଡଣବିସଙ୍କୁ ଲୋକେ ତୃତୀୟ ସ୍ଥାନରେ ରଖିଛନ୍ତି । ବିଜେପି ଗତ ଦିନରେ କହି ଆସିଛି ଯେ, ଆମେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ହିଁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢିବୁ । ମାତ୍ର ଏବେ ବି ଏହା ସଂଶୟ ଯେ, ମହାୟୁତି ଜିତିଲେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏମିତି ସନ୍ଦେହ ମହାବିକାଶ ଅଘାଡିର ସରକାରକୁ ନେଇ ମଧ୍ୟ ରହିଛି । କାରଣ ମୁଖ୍ୟମନ୍ତ୍ରୀ ଭାବେ କୌଣସି ନେତାଙ୍କ ନାଁ ଘୋଷଣା କରାଯାଇ ନାହିଁ । ତଥାପି ଲୋକେ ଏହି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅଧିକ ପସନ୍ଦ କରିଛନ୍ତି ।
ଏକନାଥ ସିନ୍ଦେଙ୍କୁ ୨୭.୫ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରନ୍ତି । ସେହିପରି ଉଦ୍ଧବ ଠାକରେଙ୍କୁ ୨୨.୯ ପ୍ରତିଶତ ମୁଖ୍ୟମନ୍ତ୍ରୀ ଚେରେରା ଭାବେ ଉଚିତ୍ ମାନିଛନ୍ତି । ଦେବେନ୍ଦ୍ର ଫଡଣବିସଙ୍କୁ ୧୦.୮ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ଦୀର୍ଘ ସମୟରୁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଅଜିତ ପାୱାରଙ୍କୁ ୩.୧ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ସଠିକ୍ ମାନିଛନ୍ତି । ଶରଦ ପାୱାରଙ୍କୁ ୫.୯ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରନ୍ତି ।