ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):
କରୋନା ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ କେଉଁ ମାନେ ଗ୍ରହଣ କରିବେ ସେ ନେଇ ଆଇସିଏମଆର ପକ୍ଷରୁ ଶୁକ୍ରବାର ଦିନ ଏକ ନୂତନ ସଂଶୋଧିତ ଗାଇଡ ଲାଇନ ଜାରି କରାଯାଇଛି । ଗାଇଡ ଲାଇନ ଅନୁସାରେ ଅଣ-କୋଭିଡ -19 ଡାକ୍ତରଖାନାରେ କାର୍ଯ୍ୟ କରୁଥିବା କରୋନା ଲକ୍ଷଣ ନଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ, କଣ୍ଟେନମେଣ୍ଟ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀ ଏବଂ କରୋନା ଜୀବାଣୁ ସଂକ୍ରମଣକୁ ରୋକିବା କାର୍ଯ୍ୟକଳାପରେ ଜଡିତ ପାରାମିଲିଟାରୀ ଫୋର୍ସ / ପୋଲିସ୍ କର୍ମଚାରୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ (HCQ) କୁ ଆଣ୍ଟିଡୋଟ୍ ବା ପ୍ରତିଷେଧକ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି |
ତେବେ ଏହା ପୂର୍ବରୁ ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଥିଲା ଯେ ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଯେଉଁ ମାନେ କୋଭିଡ -19 ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ଏବଂ କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେଭଳି କର୍ମଚାରୀଙ୍କର ପରିବାର ଲୋକେ ପ୍ରତିଷେଧକ ଭାବେ ଆଗୁଆ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ସେବନ କରିପାରିବେ ବୋଲି ICMR ପରାମର୍ଶ ଦେଇଥିଲା ।
କଣ କହିଲା ICMR ଜାଣନ୍ତୁ ?
ତେବେ, ଆଇସିଏମଆର ଦ୍ୱାରା ଜାରି ହୋଇଥିବା ନୂତନ ସଂଶୋଧିତ ପରାମର୍ଶରେ ସତର୍କ କରାଯାଇଛି ଯେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଗ୍ରହଣ କରୁଥିବା ବ୍ୟକ୍ତି ନିରାପଦରେ ଅଛନ୍ତି ବୋଲି ଭାବିବା ଉଚିତ୍ ନୁହେଁ। ସଂଶୋଧିତ ପରାମର୍ଶ ଅନୁଯାୟୀ, NIV ପୁଣେରେ HCQ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏହା କେବଳ ସଂକ୍ରମଣ ହାରକୁ ହ୍ରାସ କରିଥାଏ । ତା ନୂହେଁ ଯେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଆମକୁ ସଂକ୍ରମଣ ହେବାରୁ ରକ୍ଷା କରିଥାଏ । ଅନେକ ବ୍ୟକ୍ତି ଭାବୁଛନ୍ତି ହାଇଡ୍ରୋକ୍ସିକ୍ଲୋରୋକୁଇନ ଗ୍ରହଣ କରିବା ଦ୍ୱାରା ଆମକୁ ଆଉ କରୋନା ହେବନାହିଁ ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ ବୋଲି ସ୍ପଷ୍ଟ କରି ଦେଇଛି ICMR ।
ଏଥିରେ ଦର୍ଶାଯାଇଛି ଯେ ରେଟିନା ସମ୍ବନ୍ଧୀୟ ଦୃଷ୍ଟି ଶକ୍ତି ଦୁର୍ବଳତା, HCQ ପ୍ରତି ଅତ୍ୟଧିକ ସମ୍ବେଦନଶୀଳତା ଏବଂ ଯେଉଁମାନେ ହୃଦରୋଗରେ ଆକ୍ରାନ୍ତ ଥାଆନ୍ତି ସେମାନଙ୍କୁ ଏହି ଔଷଧ ଦିଆଯିବା ଉଚିତ୍ ନୁହେଁ।
ପରାମର୍ଶରେ କୁହାଯାଇଛି ଯେ 15 ବର୍ଷରୁ କମ୍ ପିଲା ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଏହି ଔଷଧ ନ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ଆନୁଷ୍ଠାନିକ ସମ୍ମତି ସହିତ ଡାକ୍ତରଙ୍କ ତତ୍ତ୍ୱବଧାନରେ ଏହି ଔଷଧ ଦିଆଯିବା ଉଚିତ୍।