ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ସାଧାରଣ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ଅର୍ଥ ମନ୍ତ୍ରୀ କୃଷକଙ୍କ ପାଇଁ ନୂତନ ଧନଧାନ୍ୟ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ୧.୭ କୋଟି କୃଷକ ଉପକୃତ ହେବେ । ଏଥିସହ କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ବାଦ୍ ବିହାରରେ ମଖାନା ବୋର୍ଡ ଗଠନ କରାଯିବ ବୋଲି ବଜେଟ୍ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।
କଣ ଏହି କିଷାନ କ୍ରେଡିଟ୍ କାର୍ଡ
ସରକାରଙ୍କ ପକ୍ଷରୁ କୃଷକଙ୍କୁ ଲାଭାନ୍ୱିତ କରିବା ପାଇଁ କିଷାନ କ୍ରେଡିଟ୍ କାର୍ଡ(କେସିସି)ର ଆରମ୍ଭ କରାଯାଇଥିଲା । ଏହି କାର୍ଡ ଜରିଆରେ କୃଷକଙ୍କୁ ଶସ୍ତା ସୁଧରେ ଋଣ ଯୋଗାଇ ଦିଆଯାଉଛି । ଏହି ଯୋଜନାର ଆରମ୍ଭ ୧୯୯୮ରେ ଭାରତ ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ ଦ୍ୱାରା କରାଯାଇଥିଲା । ଏହାକୁ କିଷାନ କ୍ରେଡିଟ୍ କାର୍ଡର ନାମ ଦିଆଯାଇଥିଲା । ଚାଷ ବ୍ୟତୀତ ମତ୍ସ୍ୟପାଳନ କିମ୍ବା ପଶୁପାଳନ କରୁଥିବା ଲୋକେ ମଧ୍ୟ ଏହି କାର୍ଡ ଜରିଆରେ ଲୋନ ପାଇଁ ଆବେଦନ କରି ପାରିବେ । ଏ ପର୍ଯ୍ୟନ୍ତ ଏହାର ଲିମିଟ୍ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା । ମାତ୍ର ଆଜିର ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଧନଧାନ୍ୟ ଯୋଜନାରେ ଉପକୃତ ହେବେ କୋଟି କୋଟି ଚାଷୀ
ଅର୍ଥମନ୍ତ୍ରୀ କୃଷକଙ୍କୁ ଆଉ ଏକ ଉପହାର ଦେଇ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ କମ ଉତ୍ପାଦନ ହେଉଥିବା, ଆଧୁନିକ ଫସଲର ଚାଷ ଓ ହାରାହାରି କମ ଲୋନ ମାପଦଣ୍ଡରେ ଥିବା ୧୦୦ ଜିଲ୍ଲାକୁ ସାମିଲ କରାଯିବ । ଏଥିରେ ୧.୭ କୋଟି କୃଷକ ଉପକୃତ ହେବେ ।