ଜୟପୁର: ରାଜସ୍ଥାନର ଜୟପୁରରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ପ୍ରବୀଣ କୁମାର (୬୫) ଇଣ୍ଟରିୟର ଡିଜାଇନର ଥିଲେ। ତାଙ୍କର ପତ୍ନୀ ରେଣୁ (୬୦) ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥି ସହିତ ଥାଇଲାଣ୍ଡାରେ ରହୁଥିବା ମୃତକଙ୍କ ପୁଅଙ୍କୁ ଘଟଣା ସଂପର୍କରେ ସୂଚନା ଦେଇଛି।
ଜୟପୁରର ଜବାହର ନଗର ଅଞ୍ଚଳର ରାମଗଳି କଲୋନିରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ପ୍ରବୀଣ ଓ ରେଣୁ କୋଠରୀ ଭିତରେ ଏସି ଲଗାଇ ବିଶ୍ରାମ ନେଇଥିଲେ। ଏହି ସମୟରେ ସର୍ଟସର୍କିଟ କାରଣରୁ ଏସି ବିସ୍ଫୋରଣ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଏହା ଅଗ୍ନିକାଣ୍ଡରେ ପରିଣତ ହୋଇଥିଲା। ଘରସାରା କେବଳ ଧୂଆଁ ଦେଖାଯାଉଥିଲା। ଫଳରେ କୋଠରୀ ଭିତରୁ ସ୍ବାମୀ-ସ୍ତ୍ରୀ ବାହାରକୁ ବାହାରି ପାରିନଥିଲେ। ଘର ଭିତରୁ ଧୂଆଁ ନିର୍ଗତ ହେଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ।
ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଧୂଆଁରେ କୋଠରୀ ଭିତର ଅନ୍ଧାର ଦେଖାଯାଉଥିଲା। ସର୍ଚ୍ଚ ଅପରେଶନ ବେଳେ ସ୍ବାମୀ-ସ୍ତ୍ରୀ ଅଚେତ ହୋଇ ପଡ଼ିଥିଲେ। ଏହା ପରେ ଆଗ୍ନିକମାନେ ଝରକା ପାର୍ଶ୍ବରୁ କାଚ ଭାଙ୍ଗି ସ୍ବାମୀ-ସ୍ତ୍ରୀଙ୍କୁ ବାହାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ କହିଛି ଏସି ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ଘରେ ଥିବା ପୁରୁଣା ସାମଗ୍ରୀ ଜଳିଯାଇଛି। ଧୂଆଁରେ ଅଣନିଶ୍ବାସୀ ହୋଇ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦଂପତିଙ୍କ ଏକମାତ୍ର ପୁଅ ହର୍ଷିତ ବର୍ମା ଥାଇଲାଣ୍ଡରେ ରହୁଛନ୍ତି। ତାଙ୍କୁ ଏବାବଦରେ ସୂଚନା ଦିଆଯାଇଛି। ପୁଅ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।