ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବାବେଳେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାକୁ ବାନ୍ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହୃଦଘାତର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନସାରୀକୁ କଡା ସୁରକ୍ଷା ମଧ୍ୟରେ ଗୁରୁବାର ଅପରାହ୍ନରେ ରାନୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ପୋଲିସ ଉପସ୍ଥିତିରେ ଡାକ୍ତରୀ ଟିମ ଚିକିତ୍ସା କରିଥିଲେ । ଏହି ଖବର ପାଇ ବାନ୍ଦାରେ ମୁଖତାର ଅନସାରୀଙ୍କ ମାମଲା ପରିଚାଳନା କରିଥିବା ଓକିଲ ନାସିମ ହାୟଦାର ପହଂଚିଥିଲେ। ହେଲେ ତାର ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖନୀୟ ଯେ, ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀ ଦୀର୍ଘବର୍ଷ ପଞ୍ଜାବର ଜେଲରେ ରହିବା ପରେ ନିକଟରେ ଉତ୍ତର ପ୍ରଦେଶ ସରକାର ତାକୁ ରାଜ୍ୟକୁ ଆଣିଥିଲେ। ତେବେ ସେ ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବାନ୍ଦା ଜେଲରେ ରହିଥିଲା । କିନ୍ତୁ ଗୁରୁବାର ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ମଉ ଏବଂ ଗାଜିପୁରରେ ସୁରକ୍ଷା ବୃଦ୍ଧି କରାଯାଇଥିବା ବେଳେ ବାନ୍ଦାରେ ମଧ୍ୟ ବିଶେଷ ସୁରକ୍ଷା ବ୍ୟବସ୍ଥା ରହିଛି। ଏଥିସହିତ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସଜାଗ ରହିବାକୁ ଡିଜିପି ମୁଖ୍ୟାଳୟ ନିର୍ଦ୍ଦେଶ ଦେଇଛି।
ଅଧିକ ପଢନ୍ତୁ: ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରୀ ଟପିବା ସମ୍ଭାବନା