ଚେନ୍ନାଇ: ଆଜି ପୁଡୁଚେରୀ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଫେଙ୍ଗଲ। ତାମିଲନାଡୁର ଚେଙ୍ଗଲପଟ୍ଟୁରେ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ବେଗରେ ପବନ ବହିବାରେ ଲାଗିଛି। ତାମିଲନାଡୁ ସରକାର ଶନିବାର ୪ଟି ଜିଲ୍ଲା ଚେନ୍ନାଇ, କାଞ୍ଚିପୁରମ୍, ଚେଙ୍ଗଲପଟ୍ଟୁ ଏବଂ ତିରୁବଲ୍ଲୁରର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅପରାହ୍ନରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ରହିପାରେ।
ଚେନ୍ନାଇରେ ଖରାପ ପାଗ ଯୋଗୁଁ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କିଛି ବିମାନ ବାତିଲ ହୋଇପାରେ। ଇଣ୍ଡିଗୋ ଏୟାରଲାଇନ୍ସ ଏହାର ୱେବସାଇଟରୁ ଯାତ୍ରୀଙ୍କୁ ବିମାନ ସ୍ଥିତି ଯାଞ୍ଚ କରିବାକୁ କହିଛି। କମ୍ପାନୀ କହିଛି ଯେ ବିମାନ ବାତିଲ ହେଲେ ଆପଣ କମ୍ପାନୀର ୱେବସାଇଟକୁ ଯାଇ ରିଫଣ୍ଡ ବିକଳ୍ପ ବାଛିପାରିବେ। ଏହାବ୍ୟତୀତ ଆପଣ ନିଜ ସୁବିଧା ଅନୁସାରେ ବିକଳ୍ପ ବିମାନ ବୁକିଂ କରିପାରିବେ।
ସାମୁଦ୍ରିକ ଝଡ଼ ଫେଙ୍ଗଲ ଚେନ୍ନାଇଠାରୁ ୨୧୦ କିଲୋମିଟର ଦକ୍ଷିଣ-ପୂର୍ବଦିଗରେ ବଙ୍ଗୋପସାଗରର ୧୧.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୧.୭ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ଏବଂ ୩୦ ତାରିଖ ଅପରାହ୍ନରେ ଏକ ସାମୁଦ୍ରିକ ଝଡ଼ ରୂପେ ପୁଡୁଚେରୀ ନିକଟସ୍ଥ କରାଇକାଲ ଏବଂ ମହାବଳୀପୁରମ୍ ମଧ୍ୟରେ ଅତିକ୍ରମ କରିବ। ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟରରୁ ୯୦ କିଲୋମିଟର ରହିବ।
ନାନାଇରେ ପ୍ରବଳ ବର୍ଷା ଯୋଗୁଁ ସହରର ୧୩୪ଟି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରେଟର ଚେନ୍ନାଇ କର୍ପୋରେସନ (ଜିସିସି) ୧,୬୮୬ଟି ମୋଟର ପମ୍ପ ନିୟୋଜିତ କରିଛି। ପୁଡୁଚେରୀ ଏସଏସପି କଲାଇଭାନ କହିଛନ୍ତି, ଆମେ ମତ୍ସ୍ୟଜୀବୀ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛୁ। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଉନାହାନ୍ତି। ଗତକାଲି ରାତିରୁ ଆମେ ସମସ୍ତ ବେଳାଭୂମି ବନ୍ଦ କରିଦେଇଛୁ। ଆମେ ପୁଡୁଚେରୀର ସମସ୍ତ ବେଳାଭୂମିରେ ପ୍ରାୟ ୩୦୦ କର୍ମଚାରୀ ଙ୍କୁ ମୁତୟନ କରିଛୁ ଏବଂ ଆମେ ଏନଡିଆରଏଫ ସହିତ ମଧ୍ୟ ସମନ୍ୱୟ ରକ୍ଷା କରୁଛୁ।
ଅଧିକ ପଢ଼ନ୍ତୁ: ସମୁଦ୍ରରେ ବଢୁଛି ଉଚ୍ଚ ଢେଉ