ଏବେ ଉଗ୍ରରୂପ ଧାରଣ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ‘ମିଗଜୋମ’। ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ରୁ ଶହେ କିଲୋମିଟର ରହିପାରେ । ତେବେ ଝଟକା ପବନର ବେଗ ୧୧୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ଏହା ବର୍ତ୍ତମାନ ଉତ୍ତର ଦିଗକୁ ଗତିକରି ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇଛି ।
ବାତ୍ୟା ମିଗଜୋମ୍ ପ୍ରଭାବରେ ଜଳମଗ୍ନ ହୋଇଛି ଚେନ୍ନାଇ । ସହର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ । ଚେନ୍ନାଇର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ ସବୁଠି ଉବୁଟୁବୁ ପରିସ୍ଥିତି । ଗାଡ଼ି ଗମନାଗମନ ସହିତ ଟ୍ରେନ୍ ଓ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ରାଜରାସ୍ତାରେ ବୁଲୁଛି ବିରାଟକାୟ କୁମ୍ଭୀର ଯାହାକୁ ଦେଖି ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ବାସିନ୍ଦା । ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତ ଯୋଗୁଁ ୫ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।