ମଧ୍ୟପ୍ରଦେଶ ଶେଓପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର । ସୋମବାର ଭାରତ ଜନ୍ମିତ ହୋଇଥିବା ୩୨ ମାସର ମାଈ ଚିତା KJP21 ୫ଟି ଶାବକ ଜନ୍ମ ଦେଇଛି । ସମସ୍ତ ବାଘ ଛୁଆ ସୁସ୍ଥ ଅଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ ଚିତା ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏଥିରେ ଭାରତ ମାଟିରେ ଜନ୍ମିତ ୪୧ ଚିତା ଅଛନ୍ତି । ଏ ନେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା 'ଏକ୍ସ' ଆକାଉଣ୍ଟରେ ସୂଚନା ପ୍ରଦାନ କରାଯାଇଛି।
କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେଶ ଯାଦବ 'X' ରେ ନବଜାତ ଶାବକଙ୍କ ଫଟୋ ସେୟାର କରିଛନ୍ତି ଏବଂ ଏହାକୁ ଭାରତରେ ପରବର୍ତ୍ତୀ ପିଢିର ଚିତାବାଘ ସଂଖ୍ୟା ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, "ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଶାବକ ଭାରତରେ ବୋତ୍ସୱାନା ବଂଶର ଆରମ୍ଭକୁ ଚିହ୍ନିତ କରିଛନ୍ତି । କାରଣ ଶାବକଙ୍କ ପିତା ଜଣେ ବୋତ୍ସୱାନା ପୁରୁଷ ବାଘ । ଏହାଦ୍ୱାରା ଭାରତର ବର୍ଦ୍ଧିତ ଚିତା ସଂଖ୍ୟାରେ ଏକ ନୂତନ ବଂଶ ଯୋଡି ହୋଇଛନ୍ତି । ଭାରତ ମାଟିରେ ଜନ୍ମିତ ଆଉ ଏକ ପିଢ଼ି, ଚିତା ପୁନଃପ୍ରବର୍ତ୍ତନର କାହାଣୀରେ ଆଉ ଏକ ସୁନ୍ଦର ଅଧ୍ୟାୟ ଯୋଡିଛନ୍ତି । ପ୍ରୋଜେକ୍ଟ ଚିତା ସହିତ ଜଡିତ ପଶୁ ଚିକିତ୍ସକ, କ୍ଷେତ୍ର କର୍ମଚାରୀ, ପରିଚାଳକ ଏବଂ ପ୍ରୋଜେକ୍ଟ ଚିତା ସହିତ ଜଡିତ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ, ଯାହାଙ୍କ ସମର୍ପଣ, ପ୍ରତିବଦ୍ଧତା ଏବଂ ଅକ୍ଳାନ୍ତ ପ୍ରୟାସ ଏହି ମୁହୂର୍ତ୍ତକୁ ସମ୍ଭବ କରିପାରିଛି ।