ନୂଆଦିଲ୍ଲୀ: ନୂଆଦିଲ୍ଲୀର ରେଳ ଷ୍ଟେସନରେ ଦଳଚକଟା ଘଟଣା ପରେ ଚେତିଛି ରେଳ କର୍ତ୍ତୃପକ୍ଷ । ସୋମବାର ପୁଣି ଥରେ ଷ୍ଟେସନରେ ଲୋକଙ୍କ ଭିଡ ଜମିବାରୁ ବିଭାଗୀୟ ଅଧିକାରୀ ବଡ ନିଷ୍ପତ୍ତି ନେଇ ପ୍ଲାଟଫର୍ମ ଟିକେଟ୍ ଦେବା ବନ୍ଦ କରି ଦେଇଛନ୍ତି । ଦୁର୍ଘଟଣା ପରେ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।
ନୂଆଦିଲ୍ଲୀ ରେଳ ଷ୍ଟେସନର ଅଧିକାରୀ କହିଛନ୍ତି, ଯେମିତି ଭିଡ କମିଯିବ ପୁଣି ପ୍ଲାଟଫର୍ମ ଟିକେଟ୍ ଦିଆଯିବ । ଭିଡକୁ ନିୟନ୍ତ୍ରଣ କରିବା ଦୃଷ୍ଟିରେ ରଖି ପ୍ଲାଟଫର୍ମ ଟିକେଟ୍ ନ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ କାଉଣ୍ଟରରେ ଯାତ୍ରୀଙ୍କ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ନୋଟିସ୍ ମଧ୍ୟ ମାରି ଦିଆଯାଇଛି ।
କିନ୍ତୁ ଅନଲାଇନରେ ଏବେ ବି ପ୍ଲାଟଫର୍ମ ଟିକେଟ୍ ମିଳୁଛି । ଏବେ କେବଳ କାଉଣ୍ଟରରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ବନ୍ଦ ରହିଛି । ଏବେ ପ୍ରଶ୍ନ ଉଠୁଛି ଯେ, ଭିଡ ନିୟନ୍ତ୍ରଣ ପାଇଁ ଏବେ ଅନଲାଇନ ଟିକେଟ୍ ବିକ୍ରି ବନ୍ଦ କରାଯିବ କି ନାହିଁ । ସୂଚନାଯୋଗ୍ୟ, ନୂଆଦିଲ୍ଲୀ ରେଳ ଷ୍ଟେସନରେ ଫେବୃଆରୀ ୧୫ ତାରିଖ ରାତିରେ ଦଳଚକଟା ହୋଇଥିଲା । ଏହି ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଯେଉଁ ସମୟରେ ଏହି ଦୁଃଖଦ ଘଟଣା ଘଟିଲା, ସେହି ସମୟରେ ପ୍ରୟାଗରାଜ ମହାକୁମ୍ଭ ଯିବା ପାଇଁ ପ୍ଲାଟଫର୍ମ ନମ୍ବର ୧୩ ଓ ୧୪ରେ ଭିଡ ଏତେ ବଢି ଯାଇଥିଲା ଯେ, ଲୋକେ ଅଣନିଃଶ୍ୱାସୀ ହୋଇ ପଡିଥିଲେ । ତେବେ ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୪ରେ ପାଟନା ଅଭିମୁଖେ ଯାଉଥିବା ମଗଧ ଏକ୍ସପ୍ରେସ ଓ ପ୍ଲାଟଫର୍ମ ୧୫ରେ ଜାମ୍ମୁ ଅଭିମୁଖେ ଯାଉଥିବା ଉତ୍ତର ସଂପର୍କ କ୍ରାନ୍ତି ଏକ୍ସପ୍ରେସ ଛିଡା ହୋଇଥିଲା । ଏହି ସମୟରେ ଫୁଟଓଭର ବ୍ରିଜରେ ୧୪ ନମ୍ବର ପ୍ଲାଟଫର୍ମରୁ ୧୫ ନମ୍ବରକୁ ଆସୁଥିବା ଜଣେ ଯାତ୍ରୀଙ୍କ ପାଦ ସିଢିରେ ଖସି ଯାଇଥିଲା । ଏହା ପରେ ଉକ୍ତ ଯାତ୍ରୀଙ୍କ ପଛରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଖସି ପଡିଥିଲେ । ଏହା ପରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହି ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।