ମୁମ୍ବାଇ: କିଏ କୁହନ୍ତି ତାଙ୍କୁ ବିଗ୍ ବି, କିଏ କହନ୍ତି ଶେହନସା ନାଁ ଅନେକ କିନ୍ତୁ ଚେହେରା ଗୋଟିଏ, ସେ ହେଉଛନ୍ତି ବଲିଉଡରେ ଦୀର୍ଘ ୫ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ କରୁଥିବା ଅମିତାଭ ବଚ୍ଚନ । ଆଜି ଅମିତାଭ ବଚ୍ଚନ ତାଙ୍କର ୮୩ତମ ଜନ୍ମ ଦିବସ ପାଳନ କରୁଛନ୍ତି । ତାଙ୍କର ଅନେକ ପ୍ରଶଂସକ ଏବଂ ଶୁଭେଚ୍ଛୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ମୁମ୍ବାଇର ଜଲସା ବାସଭବନ ସମ୍ମୁଖରେ ଭିଡ଼ ଜମାଇଛନ୍ତି ।
ଅମିତାଭଙ୍କ ପୁରା ନାମ ଅମିତାଭ ହରିବଂଶ ରାୟ ବଚ୍ଚନ । ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ରୁ ଆରମ୍ଭ ହୋଇଥିବା ଅଭିନୟର ଯାତ୍ରା ଏବେବି ଜାରି ରହିଛି । ଅମିତାଭ ବଚ୍ଚନଙ୍କ ସର୍ବପ୍ରଥମ ଚଳଚ୍ଚିତ୍ର ହେଉଛି ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ମୃଣାଳ ସେନ୍ଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ‘ଭୁବନ ଶୋମ୍’ । ଏଥିରେ ଅମିତାଭ କଣ୍ଠଦାନ କରିଥିଲେ । ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ହେଉଛି ‘ସାତ୍ ହିନ୍ଦୁସ୍ତାନୀ’ (୧୯୬୯) । ଅନେକ ଉତଥାନ ପତନ ଦେଇ ସେ ଗତି କରିଛନ୍ତି । କିନ୍ତୁ ତାଙ୍କ ପାଦ ଥକିଯାଇନାହିଁ । ମନର ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର ମାନିଯାଇଛି । ୧୯୭୩ର ମୁକ୍ତିଲାଭ କରିଥିବା ‘ଜଞ୍ଜୀର’ ଚଳଚ୍ଚିତ୍ର ଅମିତାଭଙ୍କ ଭାଗ୍ୟ ବଦଳାଇଥିଲା ଓ ଦେଇଥିଲା ନୂଆ ପରିଚୟ ‘ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ । ଏହା ପରେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇ ଦର୍ଶକଙ୍କ ମନ ଜିଣିଥିଲେ । ୮୩ ବର୍ଷ ବୟସରେ ମଧ୍ୟ ଅଭିନୟ ତାଙ୍କୁ ବାନ୍ଧି ରଖିଛି । ବର୍ତ୍ତମାନ ମଧ୍ୟ ଫିଲ୍ମ, ଟିଭି କାର୍ଯ୍ୟକ୍ରମ ଏବଂ ବିଜ୍ଞାପନରେ ସେ ଅଭିନୟ ଜାରି ରଖିଛନ୍ତି । ଅମିତାଭ ଅଭିନେତା ସହିତ ଜଣେ ଭଲ ଲେଖକ ଏବଂ କଣ୍ଠଶିଳ୍ପୀ ମଧ୍ୟ ଅଟନ୍ତି ।
ଅଧିକ ପଢନ୍ତୁ: ବିଶ୍ବବିଦ୍ୟାଳୟକୁ ୟୁଜିସିର ଚେତାବନୀ: ୱେବସାଇଟରେ ପ୍ରାସଙ୍ଗିକ ସୂଚନା ଅପଲୋଡ୍ ନେଇ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ