ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି(ସିଜେଆଇ) ବିଆର ଗବାଇଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟଙ୍କ ପୀଠ ନିକଟରେ ଏସସି/ଏସଟି ଆକ୍ଟକୁ ନେଇ ଏକ ନିଷ୍ପତ୍ତି ଶୁଣାଇଥିଲେ । ଏଥିରେ କୋର୍ଟ କହିଥିଲେ ଯେ, ଦଳିତଙ୍କ ବିରୋଧରେ ଉତ୍ପୀଡନ ସଂପର୍କିତ ମାମଲା ଅର୍ଥାତ ଏସସି/ଏସଟି ଆକ୍ଟ ୧୯୮୯ ଆଧାରରେ ରୁଜୁ ମାମଲାରେ କୌଣସି ବି ଅଭିଯୁକ୍ତଙ୍କୁ ତେବେ ଜାମିନ ମିଳିବ, ଯେବେ ଏହା ସ୍ପଷ୍ଟ ଭାବେ ପ୍ରମାଣିତ ହେବ ଯେ, ଅଭିଯୁକ୍ତଙ୍କ ବିରୋଧରେ ପ୍ରଥମ ଦୃଷ୍ଟତାରେ କୌଣସି ମାମଲା ହୋଇ ପାରିବ ନାହିଁ । ଅର୍ଥାତ ପ୍ରମଥରୁ ପ୍ରମାଣିତ ହୋଇ ଯାଉଛି ଯେ, ଅଭିଯୁକ୍ତ ଦଳିତ ସମୁଦାୟ ପ୍ରତି କୌଣସି ହିଂସା କରି ନାହାନ୍ତି ।
ସିଜେଆଇ ବିଆର ଗବାଇ, ଜଷ୍ଟିସ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ଏନଭି ଅଞ୍ଜରିଆଙ୍କ ପୀଠ ମଙ୍ଗଳବାର ଏହା ଉପରେ ଜୋର ଦେଇଛନ୍ତି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅଧିନିୟମକୁ ଦୁର୍ବଳ ବର୍ଗଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଅଣା ଯାଇଥିଲା । ଏହି ଅଧିନିୟମ ଅଭିଯୁକ୍ତଙ୍କୁ ଗିରଫ କରିବା ପୂର୍ବରୁ ହିଁ ଜାମିନ ପ୍ରଦାନ କରିବାରେ ରୋକ୍ ଲଗାଇଥାଏ । ଏହା ସହ ପୀଠ ଜାତିଗତ ଅତ୍ୟାଚାର ଅଭିଯୋଗର ସମ୍ମୁଖୀନ ହେଉଥିବା ଜଣେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ଦେବା ସଂପର୍କିତ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ଆଗୁଆ ଜାମିନକୁ ଅଗ୍ରାହ୍ୟ କରି ଦେଇଛନ୍ତି ।
ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ, ଅଦାଲତ କହିଛନ୍ତି ଏସସି ଓ ଏସଟି(ଅତ୍ୟାଚାର) ଅଧିିନିୟମ-୧୯୮୯ର ଧାରା ୧୮ରେ ସ୍ପଷ୍ଟ ଭାଷାରେ କୁହାଯାଇଛି ଯେ, ସିଆରପିସିର ଧାରା ୪୩୮ ଆଧାରରେ ଦାୟର ଜାମିନ ଆବେଦନ ଖାରଜ ହେବ । ଏସସି/ଏସଟି ସମୁଦାୟର ଲୋକଙ୍କ ପ୍ରତି ଅପରାଧ କରିବାରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ଦେବା ଉପରେ ଏହି ଆଇନ ରୋକ ଲଗାଇଥାଏ । ପୀଠ କହିଛନ୍ତି ତେଣୁ ଏମିତି ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ଉଚିତ୍ ।
Also read: ଆଇଆଇଟି ମାଦ୍ରାସ ଦେଶର ଶ୍ରେଷ୍ଠ ଇନଷ୍ଟିଚ୍ୟୁଟ, କଲେଜରେ ହିନ୍ଦୁ ନମ୍ବର ୱାନ