ପ୍ରୟାଗରାଜ: ଗୃହମନ୍ତ୍ରୀ ଅମିତ ଶାହା ସୋମବାର ପ୍ରୟାଜରାଜରେ ଅନୁଷ୍ଠିତ ହେଉଥିବା ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାରେ ସାମିଲ ହୋଇ ବୁଡ଼ ପକାଇଛନ୍ତି। ସ୍ନାନପରେ ଅମିତ ଗେରୁଆ ବସ୍ତ୍ର ପିନ୍ଧି ପୂଜାର୍ଚ୍ଚନା କରିଥିଲେ । ତାଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବାବା ରାମଦେବ ଙ୍କ ସହିତ ଜୁନା ଆଖଡ଼ାର ମହା ମଣ୍ଡଳେଶ୍ୱର ଅବଧେଶାନନ୍ଦ ଗିରିଙ୍କ ସହିତ ଅନ୍ୟାନ୍ୟ ସାଧୁସନ୍ଥ ମଧ୍ୟ ସାମିଲ ଥିଲେ। ଏହା ପରେ ସଙ୍ଗମ ସ୍ଥଳୀରେ ସ୍ଥିତ ବଡ ହନୁମାନ ମନ୍ଦିରରେ ଯାଇ ଦର୍ଶନ କରିଛନ୍ତି । ଅମିତ ଶାହାଙ୍କ ସହ ଜୟ ଶାହା ଉପସ୍ଥିତ ଥିଲେ। ଅମିତ ଶାହା ସପରିବାର ଗଙ୍ଗାତୀରରେ ପୂଜାର୍ଚ୍ଚନା କରି ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଛନ୍ତି ।
ଅମିତ ଶାହଙ୍କ ସହ ତାଙ୍କ ଧର୍ମପତ୍ନୀ ସୋନାଲ ଶାହା ଓ ତାଙ୍କ ପୁଅ ଜୟ ଶାହା ମଧ୍ୟ ସଙ୍ଗମସ୍ଥଳୀରେ ପହଂଚିଥିଲେ । ଏହି ଅବସରରେ ଜୟ ଶାହାଙ୍କ ପୁତ୍ରର ନାମକରଣ କରାଯାଇଥିଲା । ଜୟ ଶାହା ଓ ତାଙ୍କ ପୁଅଙ୍କୁ ସାଧୁସନ୍ଥ ମାନେ ଆଶୀର୍ବାଦ ଦେଇଥିଲେ । ଜୁନା ଆଖଡ଼ାର ମହା ମଣ୍ଡଳେଶ୍ୱର ଅବଧେଶାନନ୍ଦ ଗିରି ତାଙ୍କ ପୁଅର ନାମକରଣ କାର୍ଯ୍ୟ କରିଥିଲେ ।
ସୂଚନାଯୋଗ୍ୟ ଦିନ ୧୧.୩୦ ସମୟରେ ବରେଲୀ ଏୟାର ପୋର୍ଟରେ ଅବତରଣ କରିଥିଲେ । ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରିଜେଶ ପାଠକ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ଏହା ପରେ ସେ ଅରେଲ ଘାଟରୁ ଏକ ଷ୍ଟିମର ଯୋଗେ ଭିଆଇପି ଘାଟରେ ପହଞ୍ଚି ସେଠାରେ ସ୍ନାନ କରିଥିଲେ ଓ ପାଖି ମାନଙ୍କୁ ଖାଇବାକୁ ଦେଇଥିଲେ । ଅମିତ ଶାହାଙ୍କ ଆଗମନକୁ ଲକ୍ଷ୍ୟ କରି ନଦୀରେ କିଛି ସମୟ ପାଇଁ ଡଙ୍ଗା ଚଳାଚଳ ବନ୍ଦ କରାଯାଇଥିଲା ।