କର୍ଣ୍ଣାଟକର ଉଡୁ଼ପିରେ ଘଟିଛି ଅଭବନୀୟ ଘଟଣା। ୬ ଜଣ ଯୁବକ ଗଣ୍ଡଗୋଳ କରୁଥିବା ବେଳେ ଏକ କାର୍ ଜଣେ ଯୁବକଙ୍କ ଉପରେ ମାଡିଯାଉଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ସୂଚନା ଅନୁସାରେ, ଏହି ଘଟଣା ମେ ୧୮ ତାରିଖ ରାତିରେ ଘଟିଥିଲା। ବର୍ତ୍ତମାନ ଜଣେ ଡାକ୍ତର ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ତେବେ ଟଙ୍କା କାରବାରକୁ ନେଇ ୬ଜଣଙ୍କ ଯୁବକ ମଧ୍ୟରେ ବିବାଦ ଥିଲା। ୧୮ ତାରିଖ ରାତିରେ ଯୁବକମାନେ ରାସ୍ତା ଉପରେ କାର୍ ମଧ୍ୟରେ ଥାଇ ପାଟିତୁଣ୍ଡ ଲାଗିଥିଲେ। ଦୁଇ ଜଣ ଯୁବକ ହଠାତ୍ ଏକ କାରରୁ ଆସି ଅନ୍ୟ ଏକ କାରରେ ଥିବା ଯୁବକଙ୍କ ଉପରେ ହମଲା କରିଥିଲେ।ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ଜଣେ ଯୁବକଙ୍କ ଉପରେ ଜାଣି ଜାଣି କାର୍ ମାଡାଇ ଦିଆଯାଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ଅନ୍ୟମାନେ ପାଟିତୁଣ୍ଡରେ ଲାଗିଥିବା ଭିଡିଓରେ ଦେଖାଯାଉଛି। ଏହି ଘଟଣାରେ କାର୍ ମାଡ଼ି ଯାଇଥିବା ଯୁବକଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପୁଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଚାରି ଜଣ ଫେରାର୍ ଅଛନ୍ତି।