ନିକଟରେ ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ପାଇଛନ୍ତି ରାମଲାଲା। ଦେଶ ବିଦେଶରୁ ଦର୍ଶନ ନିମନ୍ତେ ଆସୁଛନ୍ତି ଶ୍ରଦ୍ଧାଳୁ। ତେବେ ଏଥିପାଇଁ ଆକାଶପଥରେ ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅଯୋଧ୍ୟା ପାଇଁ ନୂଆ ସ୍ପାଇସ ଜେଟ ନିୟୋଜିତ କରାଯାଇଛି। ଫେବୃଆରୀ ପହିଲାରୁ ଅଯୋଧ୍ୟା ବିମାନ ବନ୍ଦରକୁ ଉଡିବାକୁ ଯାଉଛି ଏହି ୮ଟି ନୂଆ ବିମାନ। ଆସନ୍ତା ଗୁରୁବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏହି ବିମାନର ଉଦଘାଟନ କରିବାକୁ ଥିବା ବେଳେ ଏହି ବିମାନଗୁଡ଼ିକ ଅଯୋଧ୍ୟାକୁ ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ପାଟନା, ଦରଭଙ୍ଗା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ସଂଯୋଗ କରିବ ବୋଲି ଅଧିକାରୀ କହିଛନ୍ତି।
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଇଥିଲା । ଦେଶର ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ହେବାକୁ ଯାଉଥିବା ଅଯୋଧ୍ୟାକୁ ବିଶ୍ବସ୍ତରୀୟ ସଂଯୋଗୀକରଣ ଦେବା ପାଇଁ ଏହି ବିମାନ ବନ୍ଦର ପ୍ରାୟ ୩୫୦ କୋଟି ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା । ପ୍ରାଣ ପ୍ରତିଷ୍ଠା ଉତ୍ସବର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଥିଲେ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମଗ୍ର ବିଶ୍ବରୁ ନିମନ୍ତ୍ରିତ ଅତିଥି ଏହି ବିମାନ ବନ୍ଦର ମାଧ୍ୟମରେ ଅଯୋଧ୍ୟାରେ ପହଞ୍ଚିଥିବା ବେଳେ ଜାନୁଆରୀ ୨୨ ତାରିଖ ଓ ଏହାର ପୂର୍ବଦିନ ମୋଟ ୧୧୬ଟି ବିମାନ ଅଯୋଧ୍ୟାରେ ଅବତରଣ କରିଥିଲା । ଏବେ ଏହାର ସମ୍ପ୍ରସାରଣ କରାଯାଇ ପୁଣି ୮ଟି ନୂଆ ସ୍ପାଇସଜେଟ୍ ଯୋଗ କରାଯାଇଛି। ଏହି ବିମାନ ସଂଯୋଗ ଦ୍ୱାରା କେବଳ ତୀର୍ଥଯାତ୍ରୀଙ୍କୁ ଉନ୍ନତ ଯୋଗାଯୋଗ ତଥା ପରିବହନ ସୁବିଧା ନୁହେ, ବରଂ ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଏକ ପ୍ରମୁଖ ଧାର୍ମିକ ତଥା ସାଂସ୍କୃତିକ ଗନ୍ତବ୍ୟସ୍ଥଳ ଭାବରେ ଅଯୋଧ୍ୟାଙ୍କ ସ୍ଥିତିକୁ ଆହୁରି ବଢାଇବ ବୋଲି ଆଶା କରାଯାଉଛି ।
ତେବେ, ସ୍ପାଇସଜେଟ୍ ହେଉଛି ଏକ ଭାରତୀୟ ସ୍ୱଳ୍ପ ମୂଲ୍ୟର ବିମାନ, ଯାହାର ମୁଖ୍ୟ କାର୍ଯ୍ୟାଳୟ ହରିୟାଣାର ଗୁରୁଗାଓଁରେ ଅଛି | ନଭେମ୍ବର ୨୦୧୩ ସୁଦ୍ଧା, ଘରୋଇ ଯାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଏହା ଭାରତର ଚତୁର୍ଥ ବୃହତ୍ତମ ବିମାନ କମ୍ପାନୀ ଅଟେ, ଏହାର ବଜାର ଅଂଶୀଦାର ୬.୨% ରହିଛି ଏବଂ ଏହା ଦିଲ୍ଲୀ ଓ ହାଇଦ୍ରାବାଦରେ ଥିବା ୬୦ ଟି ଭାରତୀୟ ଏବଂ ୧୩ ଟି ଅନ୍ତର୍ଜାତୀୟ ସମେତ ୭୩ ଟି ଗନ୍ତବ୍ୟସ୍ଥଳକୁ ସଂଯୋଗ କରିଛି।
ଅଧିକ ପଢନ୍ତୁ : ମଙ୍ଗଳା ମନ୍ଦିରରେ ଲାଗିଲା ଇ-ହୁଣ୍ଡି