କୋଲକାତା: ପଶ୍ଚିମବଙ୍ଗରେ ଜାରି ରହିଥିବା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ବନ୍ଦ ହୋଇ ନଥିବା ବେଳେ ମମତା ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି । କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲର ପ୍ରାୟ ୫୦ ଜଣ ବରିଷ୍ଠ ଡାକ୍ତର ସମୂହ ଇସ୍ତଫା ଦେଇଛନ୍ତି । ମୃତ ମହିଳା ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ବରିଷ୍ଠ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି । ଯଦି ସୁରକ୍ଷା ଯୋଗାଇ ନ ପାରିବ ତାହା ହେଲେ ସେବା ଆଶା କର ନାହିଁ ବୋଲି ଡାକ୍ତରମାନେ କହିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଅଧିକାରୀ ସଚିବ ତଥା ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି ଯେ ଆମରଣ ଅନଶନରେ ବସିଥିବା ଡାକ୍ତରଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି ମାତ୍ର ସରକାର ଅବହେଳା କରୁଛନ୍ତି ତେଣୁ ବରିଷ୍ଠ ଡାକ୍ତରମାନେ ସମୂହ ଇସ୍ତଫା ଦେଉଛନ୍ତି । ମଙ୍ଗଳବାର ବୈଠକ କରାଯିବା ପରେ ଡାକ୍ତରମାନେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ।
ଜଣେ ବରିଷ୍ଠ ଡାକ୍ତର ପିଟିଆଇକୁ କହିଛନ୍ତି ଯେ, ଆଜି ଡାକ୍ତରଖାନାର ସମସ୍ତ ବରିଷ୍ଠ ଡାକ୍ତର ସେମାନଙ୍କ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି । ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ସେହିପରି ଏନଆରଏସ ମେଡିକାଲ କଲେଜ ଏବଂ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ମଧ୍ୟ ଆରଜି କର ଡାକ୍ତରଖାନାର ଡାକ୍ତରମାନଙ୍କ ପଦାଙ୍କ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।
ଜୁନିଅର ଡାକ୍ତରମାନେ ଗତ ଚାରି ଦିନ ଧରି ଅନଶନରେ ବସି ଥିବାବେଳେ ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ବୋଲି ଡାକ୍ତରୀ ସଂଘ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି । ଯେଉଁମାନେ ଅନଶନରେ ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ସଂଘ । କ୍ୟାମ୍ପସ ଗଣତନ୍ତ୍ର ଏବଂ ରୋଗୀ ଅନୁକୁଳ ବ୍ୟବସ୍ଥା ପାଇଁ ସେମାନେ ଲଢ଼ୁଛନ୍ତି କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଉଦବେଗ ପ୍ରକାଶ କରିଛନ୍ତି ସିନିୟର ଡାକ୍ତରମାନେ ।