କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଶାସକ ଓ ବିରୋଧୀ ଦଳ ବିଧାୟକମାନେ ହାତାହାତି ହୋଇଥିବା ଜଣାପଡ଼ିଛି । ଫଳରେ ବାଚସ୍ପତି ମୁଖ୍ୟ ସଚେତକଙ୍କ ସମେତ ୫ ଜଣ ବିଜେପି ବିଧାୟକଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ଗୁରୁବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଶେଷ ଦିନ ଥିଲା । ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗୀୟ ପ୍ରବାସୀ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପରାହ୍ନ ୧.୫୦ ରେ ପ୍ରସ୍ତାବ ଉପରେ କହିବାକୁ ଠିଆ ହେବା ମାତ୍ରେ ବିରୋଧୀ ବିଜେପି ବିଧାୟକମାନେ ସେମାନଙ୍କ ଆସନରେ ଠିଆ ହୋଇ ନାରାବାଜି ଦେବା ଆରମ୍ଭ କରିଦେଲେ । ଏହି ସମୟରେ ଶାସକ ତୃଣମୂଳ କଂଗ୍ରେସର ବିଧାୟକମାନେ ମଧ୍ୟ ବିଜେପିକୁ ଚୋର ବୋଲି କହି ସ୍ଲୋଗାନ ଦେଇଥିଲେ। ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷ ଅଭିଯୋଗ କରିଥିଲେ ଯେ ବାଚସ୍ପତି ବିମାନ ବାନାର୍ଜୀ ବିରୋଧୀ ସଦସ୍ୟମାନଙ୍କୁ ପ୍ରସ୍ତାବ ଉପରେ କହିବାକୁ ଅନୁମତି ଦେଇ ନ ଥିଲେ । ସେପଟେ ଶାସକ ଦଳ ତଥା ଟିଏମସି ସଦସ୍ୟମାନେ ଚୋର ବୋଲି କହି ହଙ୍ଗାମା କରିଥିଲେ ।
ବାଚସ୍ପତି ନିଜ ବିରୋଧରେ ଆସିଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ କରି ବିଜେପି ବିଧାୟକମାନଙ୍କୁ ସେମାନଙ୍କ ଆସନରେ ବସିବାକୁ ଅନୁରୋଧ କରିଥିଲେ, କିନ୍ତୁ ନାରାବାଜି ଜାରି ରହିଥିଲା। ବିରୋଧୀ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେବା ସହ କାଗଜ ଚିରି ଫିଙ୍ଗି ଦେଇଥିଲେ । ଫଳରେ ବାଚସ୍ପତି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଆଜି ଦିନର ବାକି ଗୃହ କାର୍ଯ୍ୟରୁ ବିଜେପି ସଦସ୍ୟଙ୍କୁ ନିଲମ୍ବିତ କରିଥିଲେ ।
ନିରନ୍ତର ସ୍ଲୋଗାନ ଦେବା ଏବଂ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବାଚସ୍ପତି, ପାଞ୍ଚ ଜଣ ବିଜେପି ବିଧାୟକ ଯଥା ମୁଖ୍ୟ ସଚେତକ ଡକ୍ଟର ଶଙ୍କର ଘୋଷ, ଅଗ୍ନିମିତ୍ର ପାଲ, ମିହିର ଗୋସ୍ୱାମୀ, ଅଶୋକ ଡିଣ୍ଡା ଏବଂ ବଙ୍କିମ ଘୋଷଙ୍କୁ ଗୃହର ଅବଶିଷ୍ଟ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।
ତଥାପି ବିରୋଧୀ ସଦସ୍ୟମାନେ ଚୁପ ରହିନଥିଲେ । ଗୃହରେ ଉଭୟ ପକ୍ଷରୁ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ନିରନ୍ତର ସ୍ଲୋଗାନ ଏବଂ ହଟ୍ଟଗୋଳ ଜାରି ରହିଥିଲା। ଶେଷରେ ସେ ଶଙ୍କର ଘୋଷଙ୍କୁ ଗୃହରୁ ବାହାର କରିବାକୁ ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ, ବିଜେପି ବିଧାୟକ ଏବଂ ମାର୍ଶାଲମାନଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ତାଙ୍କୁ ବାହାର କରିବାକୁ ଚେଷ୍ଟା କରିବା ସମୟରେ, ଅନ୍ୟ ବିଜେପି ବିଧାୟକମାନେ ଶଙ୍କର ଘୋଷଙ୍କ ଚାରିପାଖରେ ଜମା ହୋଇଥିଲେ, ଯାହା ଫଳରେ ଉଭୟ ପାର୍ଶ୍ୱରୁ ବହୁତ ଟଣାଟଣି ହୋଇଥିଲା ଏବଂ ଏହି ସମୟରେ ଶଙ୍କର ଘୋଷ ତଳେ ପଡ଼ି ଯାଇଥିଲେ । ମାର୍ଶାଲମାନେ ଶେଷରେ ଶଙ୍କର ଘୋଷଙ୍କୁ ବଳପୂର୍ବକ ଗୃହରୁ ବାହାର କରିଦେଇଥିଲେ।
ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ବିଜେପି ଚୋର, ମୋଦି ଚୋର, ଭୋଟ ଚୋର, ଗାଦି ଛାଡ଼ ଭଳି ସ୍ଲୋଗାନ ମଧ୍ୟ ଦେଇଥିଲେ। ଦେଶରୁ ବିଜେପି ବିଦାୟ ପାଇଁ ଘଣ୍ଟି ବାଜିଛି । ଏମିତିକି ସେ ବିଜେପିକୁ ଶୂନ୍ୟ କରିଦେବେ ବୋଲି କହିଥିଲେ ।