ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଜେଟ ଅଧିବେଶନ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଅଂଶଗ୍ରହଣ କରିଛନ୍ତି।ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପଲବ୍ଧିର ଲମ୍ବାତାଲିକା ଖୋଲିବା ସହ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଏକାଧିକ ପ୍ରସଙ୍ଗରେ କଡା ଟାର୍ଗେଟ କରିଥିଲେ। ପରିବାରବାଦ, ଦେଶକୁ ଭାଗଭାଗ କରିବା ଭଳି ଉଦ୍ୟମ କରୁଥିବା କହି ବିରୋଧୀ ଦଳକୁ ପ୍ରବଳ ସମାଲୋଚନା କରିଛନ୍ତି। ସେ କହିଛନ୍ତି, 'କଂଗ୍ରେସକୁ ଭଲ ବିରୋଧୀ ହେବାକୁ ୧୦ ବର୍ଷ ସୁଯୋଗ ମିଳିଲା। କିନ୍ତୁ ଏମିତି ସୁଯୋଗ ପାଇ ବି ସେମାନେ ବିଫଳ ହେଲେ।' ଲୋକଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,' ସମ୍ପୂର୍ଣ୍ଣ ସମ୍ବୋଧନ ତଥ୍ୟ ଉପରେ ଆଧାରିତ ଥିଲା। ସରକାରର ସମସ୍ତ ସଫଳତା ଓ ଉପଲବ୍ଧିକୁ ଏକାଠି ଉପସ୍ଥାପନା କରିବାର ଏକ ଅବସର ଛାଡିଛନ୍ତି ରାଷ୍ଟ୍ରପତି । ଦେଶର ପ୍ରତିବର୍ଗରେ ହୋଇଥିବା ଉନ୍ନତିକୁ ଏହି ଭାଷଣରେ ରାଷ୍ଟ୍ରପତି ସ୍ଥାନ ଦେଇଛନ୍ତି ।'
ତେବେ ବିଜେପି ସରକାରର ଉପଲବ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆମେ ବୃହତ୍ତର ଲକ୍ଷ୍ୟ ନେଇ ଆଗକୁ ବଢୁଛୁ। ଆଜି ସାରା ବିଶ୍ବ ଭାରତକୁ ଦେଖୁଛି । ଗରିବଙ୍କ ପାଇଁ ୪ କୋଟି ଘର ନିର୍ମାଣ କରାଯାଇଛି । ୮୦ ଲକ୍ଷ ପକ୍କା ଘର ଗରିବଙ୍କୁ ମିଳିଛି । ଏବେ ଦେଶବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଗତ ୧୦ ବର୍ଷରେ ୨୫କୋଟି ଦେଶବାସୀ ଗରିବିର ରେଖାରୁ ବାହାରକୁ ବାହାରିଛନ୍ତି । ଅବସରକୁ ସଂସାଧନ ମାଧ୍ୟମରେ ସଫଳତାରେ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରହିଛି।'
ଏହି ଅବସରରେ ବିରୋଧୀ ମେଣ୍ଟ ଗଠନକୁ କଡ଼ା ସମାଲୋଚନା କରିବା ସହ ପରସ୍ପର ଉପରେ ବିଶ୍ୱାସ, ଭରସା ନାହିଁ ବୋଲି ମୋଦି କହିଛନ୍ତି। କଂଗ୍ରେସ ବହୁ ଚେଷ୍ଟା କରିବା ସତ୍ୱେ ଆଲାଏନ୍ସର ଆଲାଏନମେଣ୍ଟ ବିଗିଡ଼ିଗଲା। ବିଜେପି ନିଶ୍ଚିତ ତୃତୀୟ ଥର ସରକାର ଗଢ଼ିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଉ ଅତି ବେଶିରେ ଶହେ ଦିନ ପରେ ତୃତୀୟ ପାଳିରେ ଥିବା କଥା କହିଛନ୍ତି ପ୍ରଧାନ ମନ୍ତ୍ରୀ । ଆଗାମୀ ନିର୍ବାଚନରେ ଲୋକେ ବିଜେପିକୁ ବିରାଟ ବହୁମତ ଦେବେ। ନିର୍ବାଚନରେ NDA ୪ଶହରୁ ଅଧିକ ଆସନରେ ଜିତିବା ବେଳେ ଏକାକୀ ବିଜେପିକୁ ୩୭୦ ସିଟ୍ ନିଶ୍ଚିତ ମିଳିବ ବୋଲି ମୋଦି କହିଛନ୍ତି।ଏହାଛଡ଼ା ମୋଦି ସାରା ବିଶ୍ୱରେ କାଶ୍ମୀରର ବିକାଶ ସମ୍ବନ୍ଧରେ ଆଲୋଚନା କରି ଆତଙ୍କବାଦ ପ୍ରସଙ୍ଗରେ ଭାରତର ଜିରୋ ଟଲରେନ୍ସ ନୀତିକୁ ଗୁରୁତ୍ୱ ଦେବା ସହ ସାରା ବିଶ୍ୱ ଏବେ ଭାରତ ରାସ୍ତାରେ ଚାଲୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଭାରତ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହୋଇ କି ରହିବ, ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶ ତୃତୀୟ ବଡ଼ ଅର୍ଥନୀତି ହେବ ବୋଲି ମୋଦି ଲୋକସଭାରେ ଦୃଢୋକ୍ତି କରିଛନ୍ତି।
ଅଧିକ ପଢନ୍ତୁ : ସରଗରମ ହୋଇପାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନ