ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଫୁଟ୍ବଲର ସୁନୀଲ ଛ୍ରେତ୍ରୀ ଆସନ୍ତା ଜୁନ ୬ ତାରିଖରେ କୁୱେତ୍ ବିପକ୍ଷରେ ନିଜର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ଫିଫା ବିଶ୍ୱକପ ପାଇଁ ଏହା ହେଉଛି ଯୋଗ୍ୟତା ପର୍ଯ୍ୟାୟର ମ୍ୟାଚ୍ । ଏହି ଦିନ ସେ ଦୁଇ ଦଶନ୍ଧିର ଚମକପ୍ରଦ ଫୁଟବଲ କ୍ୟାରିୟରକୁ ବିଦାୟ କହିବେ ।
ବିଗତ କିଛି ବର୍ଷ ହେଲା ଭାରତୀୟ ଫୁଟବଲ ଟିମ୍ର ଅଧିନାୟକତ୍ୱ କରୁଛନ୍ତି, ସୁନୀଲ ଛେତ୍ରୀ । ସେ ନିଜର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ନିଜର ସନ୍ୟାସ ନେଇ ସୂଚନା ଦେଇଛନ୍ତି । ୩୯ ବର୍ଷୀୟ ସୁନୀଲ ଛେତ୍ରୀ କହିଛନ୍ତି, କୁୱେତ ବିପକ୍ଷରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବି ।
ସୁନୀଲ ଛେତ୍ରୀ ନିଜର ୧୫୦ତମ ଅନ୍ତର୍ଜାତୀୟ ମୁକାବିଲା ଆଫଗାନିସ୍ତାନ ବିପକ୍ଷରେ ଆସାମର ଗୁଆହାଟୀରେ ଖେଳିଥିଲେ । ଭାରତ ଏହି ମ୍ୟାଚରେ ୧-୨ରେ ହାରିଥିଲା ।
ସୂଚନାଯୋଗ୍ୟ, ସୁନୀଲ ଛେତ୍ରୀ ୨୦୦୫ରେ ଭାରତ ପାଇଁ ପଦାର୍ପଣ କରିଥିଲେ । ସେ ଭାରତ ତରଫରୁ ଖେଳି ୯୪ଟି ଗୋଲ ଦେଇଛନ୍ତି । ଏଥି ସହିତ ସେ ଭାରତ ପାଇଁ ସର୍ବକାଳୀନ ଶ୍ରେଷ୍ଠ ଗୋଲ୍ ଦେଇଥିବା ଖେଳାଳି ହୋଇପାରିଛନ୍ତି । ଗୋଲ ସ୍କୋରର ତାଲିକାରେ କ୍ରିଷ୍ଟିଆନୋ ରୋନାଲଡୋ ଓ ଲିୟୋନେଲ ମେସୀଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି ।