ହାଇଦ୍ରାବାଦ: ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଓ ଅନେକ ଲୋକ ଅସୁସ୍ଥ ହେବା ଘଟଣାରେ ତେଲେଙ୍ଗାନା ପୁଲିସ ବୁଧବାର ୬ ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ହତ୍ୟା ଓ ବିଏନ୍ଏସ୍ ଆଇନର ଅନ୍ୟାନ୍ୟ ଧାରା ଅନୁଯାୟୀ ଦୁଇଟି ମାମଲା ରୁଜୁ କରାଯାଇଛି।
ଅକ୍ଟୋବର ୨୫ ତାରିଖରେ ରାସ୍ତାକଡ଼ ଦୋକାନୀଙ୍କ ଠାରୁ ମୋମୋ ଖାଇ ୨୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପୂର୍ବରୁ ରାସ୍ତା କଡ଼ରେ ବିକ୍ରି ହେଉଥିବା ଜଳଖିଆ ଖାଇ ଅସୁସ୍ଥ ହୋଇପଡ଼ିବା ଅଭିଯୋଗରେ ଅନ୍ୟ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ଏସବୁକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ବୁଧବାର କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ମାୟୋନାଇଜ୍ର ଉତ୍ପାଦନ, ସଂରକ୍ଷଣ ଓ ବିକ୍ରି ଉପରେ ଏକ ବର୍ଷ ପାଇଁ କଟକଣା ଲଗାଇଛନ୍ତି। ପ୍ରବର୍ତ୍ତନ କାର୍ଯ୍ୟ କଳାପ ସମୟରେ ମିଳିଥିବା ମନ୍ତବ୍ୟ ଏବଂ ଜନସାଧାରଣଙ୍କ ଠାରୁ ମିଳିଥିବା ଅଭିଯୋଗ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଅନେକ ଘଟଣାରେ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ମେୟୋନେଜ୍ ଫୁଡ୍ ପଏଜନିଂର କାରଣ ବୋଲି ସନ୍ଦେହ କରାଯାଉଛି।
ମେୟୋନେଜ୍ ହେଉଛି ଏକ ମୋଟା ଏବଂ କ୍ରିମଯୁକ୍ତ ସସ୍ ଯାହା ତେଲ ସହିତ ଅଣ୍ଡାର ଜର୍ଦ୍ଦ ମିଶାଇ ପ୍ରସ୍ତୁତ କରାଯାଏ। ଏହାକୁ ଅନେକ ସମୟରେ ଭିନେଗାର କିମ୍ବା ଲେମ୍ବୁ ରସରେ ମଧ୍ୟ ମିଶାଯାଇଥାଏ। ଏହା ସାଧାରଣତଃ ସାଣ୍ଡ୍ୱିଚ୍, ସାଲାଡ୍, ଆପେଟିଜର୍, ସ୍ନାକ୍ସ, ଶାଓ୍ଵାରମା ଏବଂ ବିଭିନ୍ନ ଖାଦ୍ୟରେ ସାଇଡ୍ ଡିସ୍ କିମ୍ବା ଡ୍ରେସିଂ ଭାବରେ ବ୍ୟବହୃତ ହୁଏ।
ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ରାସ୍ତା କଡ଼ରେ ଥିବା ଏକ ଗାଡିରେ ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଏନେଇ କିଛି ପୀଡ଼ିତା ସୋମବାର ବଞ୍ଜାରା ହିଲ୍ସ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମୋମୋ ବିକ୍ରି କରୁଥିବା ଦୁଇ ଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା।
ସାଙ୍ଗାଡକୁଣ୍ଟା ବସ୍ତିର ୩୧ ବର୍ଷୀୟା ରେଶମା ବେଗମ୍, ତାଙ୍କ ପିଲା ଓ ଅନ୍ୟ କେତେଜଣ ଶୁକ୍ରବାର ମୋମୋ ଖାଇଥିଲେ। ଶନିବାର ଦିନ ସେ ବାନ୍ତି ଓ ଝାଡ଼ା ଅନୁଭବ କରିଥିଲେ। ସେମାନେ ବଞ୍ଜାରା ହିଲ୍ସର ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ରେଶମା ବେଗମଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନିଜାମ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଧିକ ପଢ଼ନ୍ତୁ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ