ବାର୍ସିଲୋନା: ବର୍ଷା ପରେ ବାତ୍ୟା ସ୍ପେନ୍ବାସୀଙ୍କ ପାଇଁ କାଳ ସାଜିଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ୯୫ ଜଣଙ୍କ ମୃତ୍ୟୁ ଘଟିଛି। କିଛି କାର୍ ଭାସିଯାଇଛି। ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଦେଶର ପୂର୍ବରେ ରେଳ ଲାଇନ୍ ଓ ରାଜପଥ ଅବରୋଧ ହୋଇଛି। ପୂର୍ବ ଭାଲେନ୍ସିଆ ପ୍ରଦେଶର ଜରୁରୀକାଳୀନ ସେବା ବୁଧବାର ମୃତକଙ୍କ ସଂଖ୍ୟା ୯୨ ବୋଲି ନିଶ୍ଚିତ କରିଛି। ପଡ଼ୋଶୀ କାଷ୍ଟିଲା ଲା ମଞ୍ଚା ଅଞ୍ଚଳରେ ୨ ଜଣ ଏବଂ ଦକ୍ଷିଣ ଆଣ୍ଡାଲୁସିଆରେ ଜଣେ ପ୍ରାଣ ହରାଇଛନ୍ତି। ସ୍ପେନର ପୂର୍ବ ଓ ଦକ୍ଷିଣ ଭାଗରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ବୁଧବାର ମଧ୍ୟ ଜାରି ରହିଛି।
ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ବିଗିଡ଼ି ଯାଇଥିଲା। ରେଳ ବାଇ କର୍ତ୍ତୃପକ୍ଷ କହିଛନ୍ତି ଯେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ଯେଉଁଥିରେ ୩୦୦ ଜଣ ଯାତ୍ରୀ ଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ଯେ ବନ୍ୟା ଯୋଗୁଁ ଅନେକ ସହର ପ୍ରଭାବିତ ହୋଇଛି। ଟେଲିଭିଜନ୍ ଅଭିଭାଷଣରେ ସେ କହିଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ସେମାନଙ୍କ ଯନ୍ତ୍ରଣା ସମଗ୍ର ସ୍ପେନ୍ ଅନୁଭବ କରିପାରିବ। ଆମର ପ୍ରାଥମିକତା ହେଉଛି ଆପଣଙ୍କୁ ସାହାଯ୍ୟ କରିବା। ଆମେ ସମସ୍ତ ଆବଶ୍ୟକ ସମ୍ବଳ ସଂଗ୍ରହ କରୁଛୁ ଯାହାଦ୍ୱାରା ଆମେ ଏହି ଦୁଃଖଦ ଘଟଣାକୁ ଦୂର କରିପାରିବା।
ପୁଲିସ ଓ ଉଦ୍ଧାରକାରୀ ବାହିନୀ ହେଲିକପ୍ଟର ଯୋଗେ ଲୋକଙ୍କୁ ଘର ଓ କାର୍ରୁ ବାହାର କରିଥିଲେ। ସ୍ପେନର ଜରୁରୀକାଳୀନ ପ୍ରତିକ୍ରିୟା ଟିମ୍ର କର୍ମଚାରୀଙ୍କ ବ୍ୟତୀତ ବନ୍ୟା ରେ କ୍ଷତିଗ୍ରସ୍ତ ଅଞ୍ଚଳରେ ୧୧୦୦ ସେନା ଯବାନ ଙ୍କୁ ମୁତୟନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସ୍ପେନର କେନ୍ଦ୍ର ସରକାର ଏକ ସଙ୍କଟ କମିଟି ଗଠନ କରିଛନ୍ତି। ସ୍ପେନର ଜାତୀୟ ପାଣିପାଗ ସେବା ଅନୁଯାୟୀ, ଗୁରୁବାର ପର୍ଯ୍ୟନ୍ତ ଦେଶରେ ବାତ୍ୟାର ପ୍ରଭାବ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଅଧିକ ପଢ଼ନ୍ତୁ: ଚୀନରେ ମୁଦ୍ରା ଛପାଉଛି ନେପାଳ