ଆଡିଲେଡ୍: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆ ପାଇଁ ଏପର୍ଯ୍ୟନ୍ତ ଭଲ ହୋଇନାହିଁ। ପର୍ଥରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ଆୟୋଜକ ଦଳପରାଜୟର ସମ୍ମୁଖୀନ ହୋଇଥିଲା। ଆଡିଲେଡରେ ଖେଳାଯିବାକୁ ଥିବା ପିଙ୍କ ବଲ୍ ଦିବାରାତ୍ର ଟେଷ୍ଟ ପୂର୍ବରୁ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଆଡିଲେଡ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ଏହା ଦ୍ୱିତୀୟ ବଡ଼ ଝଟକା।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦଳର ତାରକା ଦ୍ରୁତବୋଲର ଜୋଶ ହେଜଲଉଡ୍ ଆହତ କାରଣରୁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିସାରିଛନ୍ତି। ଏବେ ସ୍ମିଥଙ୍କ ଆଘାତ ଅଷ୍ଟ୍ରେଲିଆ ପାଇଁ ଭଲ ସଙ୍କେତ ନୁହେଁ। ନେଟ୍ରେ ବ୍ୟାଟିଂ କରୁଥିବା ବେଳେ ସ୍ମିଥଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଆହତ ହେବା ପରେ ସ୍ମିଥ୍ ବ୍ୟାଟିଂ ବନ୍ଦ କରିଦେଇଥିଲେ ବୋଲି ସେ କହିଛନ୍ତି। ତେବେ ସ୍ମିଥଙ୍କ ଆଘାତ କେମିତି ରହିଛି ତାହା ଜଣାପଡ଼ିନାହିଁ। ସେ ଦ୍ବିତୀୟ ଟେଷ୍ଟରେ ଭାଗ ନେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ପର୍ଥରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ସ୍ମିଥ୍ ଫ୍ଲପ୍ ହୋଇଥିଲେ। ସେ ଉଭୟ ଇନିଂସରେ ଯଥାକ୍ରମେ ୦୦ ଓ ୧୭ ରନ୍ କରିଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏଭଳି ସ୍ଥିତିରେ ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଶ୍ଚିତ ଭାବେ ଫେରିବାକୁ ଚାହିଁବ।
କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ଙ୍କ ପାଇଁ ୨୦୨୪ ଏପର୍ଯ୍ୟନ୍ତ ବିଶେଷ ଫଳପ୍ରଦ ହୋଇନାହିଁ। ଚଳିତ ବର୍ଷ ସେ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ଖେଳି ୨୫ ହାରାହାରିରେ ୨୩୦ ରନ୍ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୧ ରନ୍ ରହିଛି। ଅର୍ଥାତ୍ ତାଙ୍କ ବ୍ୟାଟ୍ରୁ ଏପର୍ଯ୍ୟନ୍ତ ଶତକ ବାହାରି ନାହିଁ। ଏବେ ସେ ଆଡିଲେଡ୍ ଟେଷ୍ଟରେ ଭାଗ ନେଉଛନ୍ତି କି ନାହିଁ ତାହା ଦେଖିବା ରୋଚକ ହେବ। ଯଦି ସେ ଆଡିଲେଡ୍ ଟେଷ୍ଟ୍ ଖେଳିବେ, ତେବେ ନିଶ୍ଚିତ ଭାବେ ତାଙ୍କ ଉପରେ ପ୍ରଦର୍ଶନ କରିବାକୁ ଚାପ ରହିବ।
ଅଧିକ ପଢ଼ନ୍ତୁ: ଡନ୍ ବ୍ରାଡମ୍ୟାନ୍ଙ୍କ ସମକକ୍ଷ ହେବାକୁ ଚାହିଁବେ ଏହି ଷ୍ଟାର ଖେଳାଳି