ଝାଲୱାର: ରାଜସ୍ଥାନର ଝାଲାୱାର ଜିଲ୍ଲାର ଗଙ୍ଗଧର ଥାନା ଅନ୍ତର୍ଗତ ଜୈତା ଖେରି ଗାଁରେ ମଙ୍ଗଳବାର ଗୋଟିଏ ପରିବାରର ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ସ୍ବାମୀ-ସ୍ତ୍ରୀ ଓ ଦୁଇ ସନ୍ତାନ। ଏହି ହୃଦୟ ବିଦାରକ ଘଟଣାର ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି ଘଟଣାରେ ଏକ ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ନାଗୁ ସିଂ (୨୭), ତାଙ୍କ ପତ୍ନୀ ସନ୍ତୋଷ ବାଇ (୨୫), ପୁଅ ଯୁବରାଜ (୬) ଓ ଏକ ବର୍ଷର ପୁଅ ଲୋକେନ୍ଦ୍ର। ନାଗୁ, ସନ୍ତୋଷ ଓ ଯୁବରାଜଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଏକ ବର୍ଷର ପୁଅର ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ନାଗୁ ସିଂହ ଜଣେ କୃଷକ ହୋଇଥିବା ବେଳେ ତାଙ୍କ ବାପା ଜଣେ ଟ୍ରକ୍ ଡ୍ରାଇଭର ଥିଲେ ଏବଂ ଦୁର୍ଘଟଣା ସମୟରେ ଘରୁ ବାହାରକୁ ଯାଇଥିଲେ। ୪ଟି ମୃତଦେହର ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଶବ ସତ୍କାର ପାଇଁ ହସ୍ତାନ୍ତର କରାଯିବା ପରେ ପରିବାର ଲୋକଙ୍କ ବୟାନ ଆଧାରରେ ମାମଲା ରୁଜୁ କରାଯିବ ବୋଲି ପୁଲିସ କହିଛି।
ମଙ୍ଗଳବାର ସନ୍ଧ୍ୟାରେ ପୁଲିସକୁ ମଧ୍ୟ ଏହି ମାମଲାରେ ଏକ ଚିଠି ମିଳିବା ପରେ ମାମଲା ଅଧିକ ଜଟିଳ ହୋଇଛି। ତେବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରିଚା ତୋମାର କହିଛନ୍ତି, ମୃତକଙ୍କ ସମ୍ପର୍କୀୟଙ୍କ ସହ ପ୍ରାଥମିକ କଥାବାର୍ତ୍ତା ଆଧାରରେ ଜମିକୁ ନେଇ ବିବାଦ ଲାଗି ରହିଛି। ମଙ୍ଗଳବାର ସଂଧ୍ୟାରେ ୪ ଜଣଙ୍କ ମୃତଦେହ ଏକାଠି ଘରୁ ବାହାରିଥିଲା।
ଉଭୟ ମୃତ ନାଗୁ ସିଂ ଏବଂ ତାଙ୍କ ପତ୍ନୀଙ୍କ ପରିବାର ସଦସ୍ୟ ପୁଲିସକୁ କହିଛନ୍ତି ଯେ ନାଗୁ ସିଂ ସେମାନଙ୍କ ପୈତୃକ ଜମି ବିକ୍ରି କରିବାକୁ ଚାହୁଁଥିଲେ, ଯାହାକୁ ନାଗୁ ସିଂଙ୍କ ପରିବାର ଏବଂ ତାଙ୍କ ଶ୍ୱଶୁର ଏବଂ ତାଙ୍କ ପତ୍ନୀ ବାରମ୍ବାର ବିରୋଧ କରୁଥିଲେ ।