ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ୟରେ ଆଳୁ ଯୋଗାଣକୁ ନେଇ ଆନ୍ତଃରାଜ୍ୟ ବିବାଦ ମଙ୍ଗଳବାର ସଂସଦରେ ଉଠିଛି। ହଜାରୀବାଗର ବିଜେପି ସାଂସଦ ମନୀଷ ଜୟସ୍ୱାଲ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏଥିରେ ହସ୍ତକ୍ଷେପ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଥିଲେ ଯେ ଝାଡ଼ଖଣ୍ଡରୁ ଆଳୁ ସାମଗ୍ରୀ ଉପରେ ପଶ୍ଚିମବଙ୍ଗର ଅବରୋଧ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।
ଏହି ପଦକ୍ଷେପ ଆନ୍ତଃରାଜ୍ୟ ବାଣିଜ୍ୟ ନିୟମର ଉଲ୍ଲଂଘନ ଏବଂ ଗରିବଙ୍କୁ ପ୍ରଭାବିତ କରୁଥିବା ଏକ ଗମ୍ଭୀର ମାମଲା ବୋଲି ସମାଲୋଚନା କରାଯାଇଥିଲା। ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଏହାର ଗଭୀର ପ୍ରଭାବ ଝାଡ଼ଖଣ୍ଡର ବଜାର ଉପରେ ପଡ଼ିଛି। ବର୍ଷସାରା ଅତି କମରେ ୬୦ ପ୍ରତିଶତ ଆଳୁ ବ୍ୟବହାର ପାଇଁ ପଶ୍ଚିମବଙ୍ଗ ଉପରେ ଝାଡ଼ଖଣ୍ଡ ନିର୍ଭର କରେ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମୁଖ୍ୟ ଶାସନ ସଚିବ ଅଲକା ତିୱାରୀଙ୍କୁ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ପରସ୍ପର ସହ କଥା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହି କଟକଣା ଏବେ ବି ବଳବତ୍ତର ରହିଛି। ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା, ଯେଉଁଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକଣାକୁ ସମର୍ଥନ କରିଥିଲେ।
ଅଧିକ ପଢ଼ନ୍ତୁ: ଦକ୍ଷିଣ କୋରିଆରେ ମାର୍ଶାଲ ଲ'କୁ ପ୍ରତ୍ୟାଖ୍ୟାନ କଲା ସଂସଦ