ସମ୍ଭଲ: ଉତ୍ତର ପ୍ରଦେଶର ସମ୍ଭଲରେ ହିଂସା ସମୟରେ ମୃତଙ୍କ ପରିବାରକୁ ଭେଟିବା ପାଇଁ ବାହାରିଥିବା କଂଗ୍ରେସର ବରିଷ୍ଠ ନେତା ତଥା ରାଏବରେଲି ସାଂସଦ ରାହୁଲ ଗାନ୍ଧୀଙ୍କୁ ଗାଜିପୁର ସୀମାରେ ଅଟକାଯାଇନାହିଁ। କିନ୍ତୁ ତାଙ୍କର ଗାଡ଼ିକୁ ଅଟକାଇ ଦିଆଯାଇଛି। ତେବେ ଏହି ସମୟରେ ପୁଲିସ ସହିତ କଂଗ୍ରେସ କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ହାପୁର ନିକଟସ୍ଥ ଚଜରସୀ ଟୋଲ ପ୍ଲାଜାରେ ସୁରକ୍ଷା ମୁତୟନ କରାଯାଇଛି। ଦିଲ୍ଲୀ-ମେରଠ ଏକ୍ସପ୍ରେସୱେର ଗାଜିପୁର ସୀମାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅମରୋହାର ବ୍ରିଜ ଘାଟରେ ମଧ୍ୟ ଚେକିଂ ଚାଲିଛି।
କଂଗ୍ରେସ ନେତା ଅଜୟ କୁମାର ଲଲ୍ଲୁ କହିଛନ୍ତି, ସରକାର କାହିଁକି ଆମକୁ ଅଟକାଉଛନ୍ତି? ସେମାନେ କ'ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ କ'ଣ ଭୟ କରୁଛନ୍ତି? ବିରୋଧୀ ଦଳ ନେତା ହିସାବରେ ଦେଶରେ କ'ଣ ଘଟୁଛି ତାହା ଦେଖିବାର ଅଧିକାର ତାଙ୍କର ରହିଛି। ସମ୍ଭାଲରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଲୋକଙ୍କୁ ହତ୍ୟା କରାଯାଇଛି, ଦାୟୀ କିଏ? ଯଦି ବିରୋଧୀ ଦଳ ନେତା ଘଟଣାସ୍ଥଳକୁ ନ ଯାଆନ୍ତି, ତେବେ ସେ ସଂସଦରେ ଏହି ପ୍ରସଙ୍ଗକୁ କିପରି ଉଠାଇବେ? ଆମେ ସମ୍ଭଲର ସ୍ଥିତି ଦେଖିବାକୁ ଚାହୁଁଛୁ କିନ୍ତୁ ସରକାର କାହିଁକି ଆମକୁ ଅଟକାଉଛନ୍ତି?
ପ୍ରାୟ ୧୦ ଦିନ ତଳେ ରବିବାର ଜାମା ମସଜିଦରେ ଚାଲିଥିବା ସର୍ଭେ ବେଳେ ହଙ୍ଗାମା ହୋଇଥିଲା। ଯେଉଁଠି ଭିଡ଼ରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ପୁଲିସ ଉପରକୁ ପଥର ଫିଙ୍ଗିଥିଲେ। ଏଭଳି ସ୍ଥିତିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ହଙ୍ଗାମା ସମୟରେ ଉକ୍ତ ଅଞ୍ଚଳର ଇଣ୍ଟରନେଟ୍ ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା, ଯାହାଦ୍ୱାରା ଗୁଜବକୁ ରୋକାଯାଇପାରିବ। ଅପରପକ୍ଷରେ ବାହାର ଲୋକଙ୍କୁ ସହର ଭିତରକୁ ପ୍ରବେଶ ନିଷେଧ କରାଯିବା ସହ ଏଥିପାଇଁ ଜିଲ୍ଲାର ସୀମାକୁ ସିଲ୍ କରାଯିବା ସହ ପୁଲିସ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଇ ଦିଆଯାଇଛି।
ଏଭଳି ସ୍ଥିତିରେ ଯାନବାହନ ଯାଞ୍ଚ ସହ ସନ୍ଦିଗ୍ଧ ଲୋକଙ୍କୁ ଯାଞ୍ଚ କରାଯାଇ ଖୋଜାଖୋଜି କରାଯାଉଛି। ଏହି ସମୟରେ କଂଗ୍ରେସ ଓ ଏସପି ସମେତ ଅନ୍ୟାନ୍ୟ ରାଜନୈତିକ ସଂଗଠନର ପ୍ରତିନିଧି ଦଳ ମଧ୍ୟ ସମ୍ଭଲ ଆସିବାକୁ ଘୋଷଣା କରିଥିଲେ, କିନ୍ତୁ ସମ୍ଭଲରେ ଲାଗୁ ହୋଇଥିବା ନିଷେଧାଦେଶ ବିଷୟରେ କହି ଏଠାରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଅଟକାଇ ଦିଆଯାଇଥିଲା। କିନ୍ତୁ ଏବେ କଂଗ୍ରେସ ନେତା ସମ୍ଭଲ ଅଭିମୁଖେ ବାହାରିଛନ୍ତି।
ଅଧିକ ପଢ଼ନ୍ତୁ: ସମାଜବାଦୀ ପାର୍ଟି, କଂଗ୍ରେସ ପରିବେଶକୁ ଖରାପ କରିବାକୁ ଚାହୁଁଛନ୍ତି