ନୂଆଦିଲ୍ଲୀ: ଶିକ୍ଷକରୁ ରାଜନେତା ପାଲଟିଥିବା ଅବଧ ଓଝା ଜଣେ ମୋଟିଭେସନାଲ ସ୍ପିକର ଭାବେ ପରିଚିତ । ତାଙ୍କର ଅନେକ ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଜବରା ଫ୍ୟାନ ପରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେ ସେ ରାଜନୀତିରେ ପାଦ ଦେବା ସହ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପାର୍ଟି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ତାଙ୍କୁ ଯେବେ ବିଜେପି ବଦଳରେ ଆପ୍ ଚୟନ କରିବା ବିଷୟରେ ପ୍ରଶ୍ନ କରାଗଲା ସେ ଏହାର ମନଖୋଲି ଉତ୍ତର ରଖିଛନ୍ତି ।
ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ଅବଧ ଓଝା ଆପର ଶିକ୍ଷା ମଡେଲର ଖୁବ୍ ପ୍ରଶଂସା କରିଛନ୍ତି । ସେ ରାଜନୀତିକୁ କାହିଁକି ଆସିଲେ ସେ ମଧ୍ୟ ଖୋଲାଖୋଲି କହିଛନ୍ତି । ସେ ଆପରେ ଯୋଗ ଦେବାର କାରଣ ବିଷୟରେ କହିଛନ୍ତି, ଆମ୍ ଆଦମୀ ପାର୍ଟିର ଶିକ୍ଷା ପ୍ରତି ପ୍ରତିବଦ୍ଧତା ତାଙ୍କୁ ପ୍ରଭାବିତ କରିଛି । ସେ କହିଛନ୍ତି, ଯେଉଁ ପାର୍ଟି ଦିଲ୍ଲୀକୁ ଏକ ଏଜୁକେସନ ଲାବରାଟୋରୀରେ ପରିଣତ କରିଛି, ତାର ପ୍ରଶଂସା ବିଦେଶରେ ମଧ୍ୟ କରାଯାଉଛି । ପୁଣି ଯିଏ ମୋତେ ଏତେ ସମ୍ମାନ ଦେଇଛି ଏବଂ ପ୍ରେମର ସହ ଦଳରେ ସାମିଲ ପାଇଁ ନିମନ୍ତ୍ରଣ ଦେଲେ ମୋତେ ତ ଏଥିରେ ସାମିଲ ହେବାର ଥିଲା ।
ବିଜେପିରେ କାହିଁକି ସାମିଲ ହେଲେନି ଅବଧ ଓଝା ?
ଅବଧ ଓଝାଙ୍କୁ ପ୍ରଶ୍ନ କରାଯାଇଛି ଯେ, କେଜରିୱାଲ ଓ ସିସୋଦିଆଙ୍କ ପରି ଲୋକ ଭ୍ରଷ୍ଟାଚାର ଅଭିଯୋଗରେ ଜେଲ୍ ଯାଇ ସାରିଛନ୍ତି । ତେବେ ଆପଣ ବିଜେପିକୁ କାହିଁକି ଚୟନ କଲେନି ଏବଂ ଆପକୁ କାହିଁକି ବାଛିଲେ ? ଏହାର ଉତ୍ତରରେ ସେ କହିଛନ୍ତି, ଜେଲ ତ ନେଲସନ ମାଣ୍ଡେଲା ଓ ମହାତ୍ମା ଗାନ୍ଧୀ ମଧ୍ୟ ଯାଇଛନ୍ତି । ଇତିହାସରେ ନେତାମାନଙ୍କ ଜେଲ୍ ଯିବାର ଉଦାହରଣ ଭରି ପଡିଛି । ଏ ପର୍ଯ୍ୟନ୍ତ ଅଦାଲତ କୌଣସି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିନି, ସେ ପର୍ଯ୍ୟନ୍ତ ଆମେ ତାଙ୍କୁ ଅପରାଧୀ ବିବେଚନା କରି ପାରିବା ନାହିଁ । ସେ ଏହା ମଧ୍ୟ କହିଛନ୍ତି, ଆଜିର ସମୟରେ କାହା ଉପରେ ଅଭିଯୋଗ ଲଗାଇବା ସହଜ, ମାତ୍ର ନ୍ୟାୟାଳୟରେ ହିଁ ଅନ୍ତିମ ନିଷ୍ପତ୍ତି ଆସିଥାଏ ।