ମୁୁମ୍ବାଇ: ବହୁ ମାନସ ମନ୍ଥନ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପଡିଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଦେବେନ୍ଦ୍ର ଫଡଣଭିସ ଗୁରୁବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାକୁ ଯାଉଛନ୍ତି । ବୁଧବାର ବସିଥିବା ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ସେପଟେ କୁହାଯାଉଛି ଯେ, ବିଜେପି ରାଜ୍ୟର ଗୃହ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ଚାହୁଁଛି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ଶିବସେନା ପ୍ରମୁଖ ଏକନାଥ ସିନ୍ଦେ ଗୃହ ମନ୍ତ୍ରଣାଳୟ ଚାହୁଁଥିବା ଚର୍ଚ୍ଚା ହେଉଥିଲା ।
ଏହିପରି ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବଣ୍ଟନକୁ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । କୁହାଯାଉଛି ବିଜେପି ଓ ଶିବସେନା ମଧ୍ୟରେ ଏହାକୁ ନେଇ ମତଭେଦ ଜାରି ରହିଛି । ଆଜି ଫଡଣବିସ ଓ ସିନ୍ଦେ ସାକ୍ଷାତ କରି ପାରନ୍ତି ବୋଲି କୁହାଯାଉଛି । ଏହା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ନେତା ସିନ୍ଦେଙ୍କ ଘରେ ଭେଟିଥିଲେ । ଏହି ବୈଠକ ପାଖାପାଖି ଏକ ଘଣ୍ଟା ଧରି ଚାଲିଥିଲା ।
କିଏ କଣ ଚାହୁଁଛି
ଉହାରାଷ୍ଟ୍ର ଟାଇମ୍ସର ରିପୋର୍ଟ ଅନୁସାରେ, ବିଜେପି ଚାହୁଁଛି ଫଡଣବିସ ଗୃହମନ୍ତ୍ରଣାଳୟ ନିଜ ପାଖରେ ରଖନ୍ତୁ । ଖାସ୍ କଥା ସିନ୍ଦେ ସରକାରରେ ମଧ୍ୟ ଏହି ମନ୍ତ୍ରଣାଳୟ ଫଡଣବିସ ସମ୍ଭାଳୁଥିଲେ । ଅନ୍ୟପଟେ ସିନ୍ଦେଙ୍କୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହ ଅନ୍ୟ ଏକ ବିଭାଗ ଓ ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଯାଏ ଶିବସେନା ପ୍ରମୁଖଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।
କୁହାଯାଉଥିଲା ଯେ, ସିନ୍ଦେ ଗୃହମନ୍ତ୍ରଣାଳୟ ଚାହୁଁଥିଲେ, ମାତ୍ର ଏହା ଉପରେ ଅନ୍ତିମ ନିଷ୍ପତ୍ତି ନିଆଯାଇ ପାରି ନାହିଁ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଯେବେ ସିନ୍ଦେ ୨୦୨୨ରେ ବିଜେପି ସହିତ ମିଶି ସରକାର ଗଠନ କଲେ ସେହି ସମୟରେ ମଧ୍ୟ ସେ ଗୃହ ମନ୍ତ୍ରଣାଳୟ ଚାହୁଁଥିଲେ । ମାତ୍ର ଫଡଣବିସଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହ ଏହି ବିଭାଗ ଦିଆଯାଇଥିଲା ।