ମୁୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀକୁ ନେଇ ଲାଗି ରହିଥିବା ସସପେନ୍ସ ମଧ୍ୟରେ ବିଜେପି ନେତା ଦେବେନ୍ଦ୍ର ଫଡଣବିସ ଓ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ଏହି ମିଟିଂ ସିନ୍ଦେଙ୍କ ବାସଭବନରେ ହୋଇଛି । ରାଜ୍ୟରେ ସରକାର ଗଠନକୁ ନେଇ ଗତ ମାସରୁ ଗତିରୋଧ ଜାରି ରହିଛି । ଏହି ରାଜନୈତିକ ଛକାପଞ୍ଝା ମଧ୍ୟରେ ସିନ୍ଦେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଫଡଣବିସ । ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡଣବିସ ସବୁଠୁ ଆଗରେ ଅଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସରକାର ଗଠନର ଫର୍ମୁଲା ନେଇ ଆଲୋଚନା ହୋଇଥିବା କୁହାଯାଉଛି ।
ସଂପ୍ରତି ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି । ସେ ମଙ୍ଗଳବାର ଯାଞ୍ଚ ପାଇଁ ସହରର ଏକ ଘରୋଇ ହସ୍ପିଟାଲ୍ ଯାଇଥିଲେ । ସିନ୍ଦେ ହସ୍ପିଟାଲରୁ ଫେରିବାର କିଛି ଘଣ୍ଟା ପରେ ବିଜେପି ନେତା ଫଡଣବିସ ସନ୍ଧ୍ୟାରେ ତାଙ୍କ ସରକାରୀ ବାସଭବନ ବର୍ଷାରେ ସିନ୍ଦେଙ୍କୁ ଭେଟିଛନ୍ତି । ଗତ ଶୁକ୍ରବାର ସିନ୍ଦେ ସତାରା ଜିଲ୍ଲା ସ୍ଥିତ ନିଜ ଗାଁକୁ ଯାଇଥିଲେ । ଏହା ପରେ ଅଟକଳ ଆରମ୍ଭ ହୋଇ ଯାଇଥିଲା ଯେ, ସେ ମହାୟୁତି ସରକାର ଗଠନର ପ୍ରକ୍ରିୟା ନେଇ ଅସନ୍ତୁଷ୍ଟ ଅଛନ୍ତି । ମାତ୍ର ତାଙ୍କ ସହଯୋଗୀ କହିଥିଲେ ଯେ, ସିନ୍ଦେଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଲ ନଭେମ୍ବର ୨୩ ତାରିଖରେ ପ୍ରକାଶ ପାଇଥିଲା ।ଏଥିରେ ମହାୟୁତି ପ୍ରଚଣ୍ଡ ବହୁମତ ସହ ଐତିହାସିକ ବିଜୟ ହାସଲ କରିଛି । ତେବେ ସରକାର ଗଠନରେ ବିଳମ୍ବ ଘଟିଛି । ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରୁ ଅଦ୍ୟାବଧି ପରଦା ହଟି ପାରିନି । ସରକାରରେ ବିଜେପି, ଶିବସେନା ଓ ଏନସିପି ଦଳକୁ କେଉଁ ବିଭାଗ ମିଳିବ ତାର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଡିସେମ୍ବର ୫ରେ ଶପଥ ଗ୍ରହଣ ସମାରୋହ ପାଇଁ ଆଜାଦ ମଇଦାନରେ ଜୋରସୋରେ ପ୍ରସ୍ତୁତି ଚାଲିଛି। ବୁଧବାର ବିଜେପି ବିଧାୟକ ଦଳ ବୈଠକ ପରେ ଚିତ୍ର ସ୍ପଷ୍ଟ ହେବ ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ।