ମହାରାଷ୍ଟ୍ର: ମହାରାଷ୍ଟ୍ର ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଦୀର୍ଘ ୧୨ ଦିନ ଧରି ମୁଖ୍ୟମନ୍ତ୍ରୀ ପଦ କାହାକୁ ଦିଆଯିବ ଯେଉଁ ସସପେନ୍ସ ଚାଲିଥିଲା, ତାହା ଉପରୁ ଆଜି ପରଦା ହଟିଛି । ଦେବେନ୍ଦ୍ର ଫଡନାବିସ୍ଙ୍କ ନାଁରେ ମୋହର ବାଜିଛି, ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ତେବେ ଏଥରକୁ ମିଶାଇ ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି ଫଡନାବିସ୍।
୪ ତାରିଖ ବୁଧବାର ବିଜେପିର କୋର କମିଟି ବୈଠକ ବସିଥିବା ବେଳେ ଏଥିରେ ଦେବେନ୍ଦ୍ର ଫଡନାବିସ୍ଙ୍କ ନାଁ ଘୋଷଣା କରାଯାଇଛି। ମହାୟୁତିରେ ବିଜେପିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ହିଁ ବିଜେପି ହାତେଇବ ବୋଲି ପୂର୍ବରୁ କଳ୍ପନା କରାଯାଉଥିଲା। ଏବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି । ସେପଟେ ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ସଜେଇ ହେଲାଣି ମୁମ୍ବାଇର ଆଜାଦ ମୈଦାନ। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଶପଥ ସାମରୋହ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବହୁ ନେତା ସାମିଲ ହେବେ ।
ଏବେ ନଜର ପକାଇବା ଦେବେନ୍ଦ୍ର ଫଡନାବିସ୍ଙ୍କ ରାଜନୈତିକ କ୍ୟାରିୟର ବାବଦରେ:
- ମହାରାଷ୍ଟ୍ରର ମୁଖ୍ୟ ଚେହେରା ହେଉଛନ୍ତି ଦେବେନ୍ଦ୍ର ଫଡନାବିସ ।
- ଆରଏସଏସରୁ ରାଜନୈତିକ ଯାତ୍ରା ଆରମ୍ଭ ।
- ୧୯୯୦ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ହୋଇଥିଲେ ସାମିଲ ।
- ୧୯୯୨ରେ ନାଗପୁରର ରାମନଗର ୱାର୍ଡ ପକ୍ଷରୁ ପ୍ରଥମ ପୌରପାଳିକା ନିର୍ବାଚନ ଲଢି ସର୍ବକନିଷ୍ଠ କାଉନସିଲର ହୋଇଥିଲେ ।
- ୧୯୯୭ରେ ନାଗପୁରର ମୁନସିପାଲଟିର ସର୍ବକନିଷ୍ଠ ମେୟର ପାଲଟିଥିଲେ ।
- ୨୦୦୧ରେ ଫଡନାବିସ୍ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ।
- ୨୦୧୪ରେ ମହାରାଷ୍ଟ୍ରରୁ ସେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
- ୨୦୧୯ରେ ନାଗପୁରର ଦକ୍ଷିଣ-ପଶ୍ଚିମ ବିଧାନସଭା ସିଟରୁ ବିଜୟ ହୋଇଥିଲେ। ଏନସିପି ନେତା ଅଜିତ ପାୱାରଙ୍କ ସହ ମିଳିତମେଣ୍ଟରେ ବିଫଳ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
-୨୦୧୯ରେ ସତ୍ତାପଲଟ୍ ପଛରେ ରହିଥିଲା ଦେବେନ୍ଦ୍ର ଫଡନାବିସ୍ ପ୍ରମୁଖ ଭୂମିକା । ସେତେବେଳେ ସେ ୮୦ ଘଂଟା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ରହି ପରେ ନିଜେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇ ଦଳ ପାଇଁ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୋଇଛି ।
ଅଧିକା ପଢନ୍ତୁ: ମହାରାଷ୍ଟ୍ର ପାଇଁ ମୁଖ୍ୟମନ୍ତ୍ରୀ: ପର୍ୟ୍ୟବେକ୍ଷକଙ୍କ ବୈଠକ ପରେ ହେବ ନାମ ଘୋଷଣା!