ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଥମୁନି ରାଜନୈତିକ ଲଢେଇ । ବିଧାନସଭା ନିର୍ବାଚନ ସରିବାର ୧୦ ଦିନ ବିତିଲାଣି, ହେଲେ ଏଯାଏଁ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ହଟିପାରୁନି । କିଏ ହେବ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ସେନେଇ କାହାରି ନାଁ ଏବେ ସୁଦ୍ଧା ଚୂଡାନ୍ତ ହୋଇପାରୁନି । ଯଦିଓ ଏଥର ବିଜେପି ମୁଖ୍ୟମନ୍ତ୍ରୀ ଆସନ ହାତେଇବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି, ତଥାପି ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ଏବେଯାଏଁ ଲାଗିରହିଛି ସସ୍ପେନ୍ସ । କେବଳ ମୁଖ୍ୟମନ୍ତ୍ରୀ ପଦ ନୁହେଁ, ଉପମୁଖ୍ୟମନ୍ତ୍ରୀ ପଦରେ କାହାକୁ ବସାଯିବ ସେନେଇ ମଧ୍ୟ ଅଙ୍କ ଛିଡୁନି । ଏହାରି ଭିତରେ ଆସନ୍ତା ୫ ତାରିଖରେ ହେବାକୁ ଯାଉଛି ଶପଥ ସମାରୋହ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ମୁମ୍ବାଇର ଆଜାଦ ମୈଦାନରେ ହେବ ଶପଥ ସମାରୋହ । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟାରେ ମହାରାଷ୍ଟ୍ରରେ ନୂଆ ସରକାର ଶପଥ ନେବେ । ଡିସେମ୍ବର ୪ ସକାଳ ୧୦ଟାରେ ବିଧାନ ଭବନ ସେଣ୍ଟ୍ରାଲ ହଲରେ ବିଜେପି ବିଧାୟକ ଦଳର ବୈଠକ ବସିବ । ଏହି ବୈଠକରେ ହିଁ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯିବ । ତେବେ ବିଜେପି ପକ୍ଷରୁ ଦେବ୍ରେନ୍ଦ୍ର ଫଡନବିସ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଦିଲ୍ଲୀଗ୍ରସ୍ତ ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି ।