ଭୁବନେଶ୍ୱର: ବିଜୁ ଜନତା ଦଳ ଛାଡ଼ିବାର ମାତ୍ର କେଇ ଘଣ୍ଟା ପରେ ପଦ୍ମ ଧରିଛନ୍ତି କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ପଞ୍ଚାୟତ ଅଧ୍ୟକ୍ଷ ରଘୁପତି ମହାନ୍ତି । ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ସଭାପତି ମନ ମୋହନ ସାମଲ ତାଙ୍କୁ ଦଳୀୟ ଟୋପି, ଉତ୍ତରୀୟ ଏବଂ ଫୁଲ ତୋଡ଼ା ଦେଇ ଦଳକୁ ସ୍ୱାଗତ କରିଛନ୍ତି । ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳ ବେହେରାଙ୍କ ନେତୃତ୍ୱରେ ରଘୁପତିଙ୍କ ସହିତ ବହୁ ସରପଞ୍ଚ ଏବଂ ଅନ୍ୟ କର୍ମୀମାନେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
ରଘୁପତି ନିଜର ଆଜି ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସେ କହିଛନ୍ତି, ମୁଁ ଦଳରେ ନିଜକୁ ଅଲୋଡ଼ା ଭାବୁଥିଲି, ସେଥିପାଇଁ ଇସ୍ତଫା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ଅନେକ ବର୍ଷ ଧରି ମୁଁ ମୋ ଅଞ୍ଚଳର ବିକାଶ ପାଇଁ ଜଣେ ଆଦର୍ଶ କର୍ମୀ ଭାବରେ ନିରନ୍ତର ଭାବରେ କାର୍ଯ୍ୟ କରିଆସୁଥିଲି । ଦଳ ଦ୍ୱାରା ଯେଉଁ ଦାୟିତ୍ୱ ଦିଆଯାଉଥିଲା ତାକୁ ସୁଚାରୁରୂପେ ତୁଲାଇଛି । ଏତେ ବର୍ଷ ପରେ, ମୁଁ ଦଳରେ ଅଲୋଡ଼ା ହୋଇରହିଥିବା ଭାବୁଛି । ସଂଗଠନ ଏବଂ ରାଜନୈତିକ ପ୍ରକ୍ରିୟା ପାଇଁ ମୋର ଆଉ ଦରକାର ନାହିଁ ବୋଲି ଲାଗୁଛି ।
“ତେଣୁ ମୁଁ ଜୀବନରେ ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛି । ତଥାପି, ମୋ ଲୋକଙ୍କ ପାଇଁ ମୋର ସେବା ଏବଂ ମୋ ଅଞ୍ଚଳର ବିକାଶ ପାଇଁ ଚେଷ୍ଟା ସବୁଦିନ ପାଇଁ ଜାରି ରହିବ ବୋଲି ରଘୁପତି ମହାନ୍ତି କହିଛନ୍ତି ।
ନିର୍ବାଚନ ପରେ ବିଜେଡ଼ିର ଅନେକ ଆଗ ଧାଡ଼ିର ନେତୃବୃନ୍ଦ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ମମତା ମହାନ୍ତ, ସୁଜିତ କୁମାର, ଯାଜପୁର ବରୀର ପୂର୍ବତନ ବିଧାୟିକ ସୁନନ୍ଦା ଦାସ ଏବଂ ଅନେକ କର୍ମୀ ବିଜେଡ଼ି ଛାଡ଼ି ବିଜେପି ଯୋଗ ଦେଇଛନ୍ତି ।