ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ଖାଲିଥିବା ଗୋଟିଏ ଆସନ ପାଇଁ ମତଦାନ ହେବ । ଡିସେମ୍ବର ୧୦ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ହୋଇଥିବାବେଳେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ୧୩ ସୁଦ୍ଧା ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଡିସେମ୍ବର ୨୦ ମତଦାନ କରାଯାଇ ଫଳାଫଳ ଘୋଷଣା ହେବ । ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ସେହି ଆସନ ଖାଲି ରହିଛି । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ହରିୟାଣାରେ ଖାଲି ପଡ଼ିଥିବା ୬ଟି ଆସନ ପାଇଁ ମତଦାନ ହେବ ।
ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଥିଲେ । ଗତ ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟାଏ ଆସନ ଖାଲି ପଡ଼ିଛି । ସେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୂର୍ବରୁ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ଥରେ ସେ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ ।
ତେବେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବା ସୁନିଶ୍ଚିତ । ସୁଜିତଙ୍କ ସ୍ଥାନରେ କିଏ ରାଜ୍ୟସଭାକୁ ଯିବ ସେ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ବିଜେପି ମମତା ମହାନ୍ତଙ୍କ ପରି ସୁଜିତଙ୍କୁ ମଧ୍ୟ ପୁନର୍ବାର ରାଜ୍ୟସଭାକୁ ପଠାଇ ପାରେ ବୋଲି ଆଲୋଚନା କରୁଛି ।