ନୂଆଦିଲ୍ଲୀ: ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସୋମବାର ବିଭିନ୍ନ ଦଳରେ ନେତୃବୃନ୍ଦଙ୍କ ସହିତ ସର୍ବଦଳୀୟ ବୈଠକ କରିଛନ୍ତି । ସଂସଦରେ ଜାରି ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ଅଧ୍ୟକ୍ଷ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ସଦନକୁ ସୁଚାରୂପେ ଚଳାଇବାକୁ ସଦସ୍ୟମାନଙ୍କୁ ଅପିଲ୍ କରିଛନ୍ତି ।
ବୈଠକର ନିଷ୍ପତ୍ତି ଅନୁଯାୟୀ ସଂସଦର ଉଭୟ ଗୃହରେ ସମ୍ବିଧାନ ଉପରେ ଚର୍ଚ୍ଚା କରାଯିବ । ଆସନ୍ତା ଡିସେମ୍ବର ୧୩ ଏବଂ ୧୪ ତାରିଖରେ ଲୋକସଭାରେ ଚର୍ଚ୍ଚା କରାଯିବା । ସେହିପରି ଡିସେମ୍ବର ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ଚର୍ଚ୍ଚା ହେବ । ସମ୍ବିଧାନ ମହତ୍ୱ ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଶେଷ ଚର୍ଚ୍ଚା କରିଯିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବୈଠକରେ ଉପସ୍ଥିତ ଥିବା ବିରୋଧୀ ଦଳର ନେତାମାନେ ଡିସେମ୍ବର 3ରେ ସଂସଦକୁ ସୂଚାରୁ ରୂପେ ତୁଲାଇବାକୁ ସହମତି ପ୍ରକାଶ କରିଛନ୍ତି । ଦୁଇଟି ସଦନରେ ସମ୍ବିଧାନର ମହତ୍ୱ ଏବଂ ପ୍ରାସଙ୍ଗିକତା ଉପରେ ଗଭୀର ଚର୍ଚ୍ଚା ଏବଂ ପ୍ରସ୍ତୁତି ଚାଲୁଛି । ଏଭଳି ଏକ ବିଶେଷ ମୁହୁର୍ତ୍ତରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ସମ୍ବାଦ ଆଦାନ ପ୍ରଦାନ ମଧ୍ୟ ହୋଇପାରେ ବୋଲି ରିଜିଜୁ କହିଛନ୍ତି ।
ଆଜିର ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ଅର୍ଜୁନ ରାମ ମେଘାୱାଲ, କଂଗ୍ରେସ ସାଂସଦ ଗୌରବ ଗୋଗୋଈ, ସୁପ୍ରିୟା ସୁଲେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ସମାଜବାଦ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସିପିଆଇ(ଏମ) କେ ରାଧାକୃଷ୍ଣନ୍, ଶିବସେନା (ୟୁବିଟି)ର ଅରବିନ୍ଦ ସାୱନ୍ତ, ଆରଜେଡିର ଅଭୟ କୁଶୱାହା, ଡିଏମକେର ଟି.ଆର. ବାଲୁ ମଧ୍ୟ ଯୋଗ ଦେଇଛନ୍ତି ।